ଶ୍ରାବଣୀ ଗୋ ତୁମେ ଶ୍ରାବଣରେ ଭିଜ
ଶ୍ରାବଣୀ ଗୋ ତୁମେ ଶ୍ରାବଣରେ ଭିଜ
ଶ୍ରାବଣୀ ଗୋ ତୁମେ ଶ୍ରାବଣରେ ଭିଜ
ପ୍ରୀତିର ମହକ ଦେଇ
ନୀଳ ଶାଢୀ ପିନ୍ଧି ନୀଳ ନୟନା ଗୋ
ଶ୍ରାବଣର ଗୀତ ଗାଇ ।
ଶ୍ରାବଣୀ ଗୋ ତୁମେ ଶ୍ରାବଣରେ ଭିଜ
ଶୁଣ ରିମ୍ ଝିମ୍ ଗୀତ
ମାଟି ଓ ଆକାଶ ମଝିରେ ନାଚ ଗୋ
ମନ ହେଉ ପୁଲକିତ ।
ଶ୍ରାବଣୀ ଗୋ ତୁମେ ମାଟିର ବାସ୍ନାରେ
ବିଭୋର ଯେ ହେଉଥାଅ
ଶ୍ରାବଣରେ ଭିଜି ସଜଳ ଆଖିରେ
ମେଘ ରୋଷଣୀ ଅନାଅ ।
ଶ୍ରାବଣୀ ଗୋ ତୁମେ ଉପଭୋଗ କର
କଳା ମେଘେ ବିଦ୍ୟୁତ୍ ପ୍ରଭା
ମୟୂର ର ନୃତ୍ୟ ପ୍ରୀତି ସମ୍ଭାଷଣେ
ହୋଇଯାଅ ପ୍ରତିବଦ୍ଧା ।
ଶ୍ରାବଣୀ ତୁମେ ଶ୍ରାବଣରେ ଭିଜି
ଧରା ମଞ୍ଜୁଳତା ଦେଖ
ସବୁଜ ସୌନ୍ଦର୍ଯ୍ୟ ଉପଭୋଗ କରି
ଶୀତଳ ଛନ୍ଦରେ ନାଚ ।
ଶ୍ରାବଣୀ ଗୋ ତୁମେ ଚପଳ ଛନ୍ଦରେ
ସବୁଜ ଘାସକୁ ଦେଖ
ସାଧବ ବୋହୂର ମଖମଲି ଦେହେ
ପରଶ ତ କରି ଦେଖ ।
ଶ୍ରାବଣୀ ଗୋ ତୁମେ ଦଣ୍ଡେ ଠିଆ ହୋଇ
ଧରିତ୍ରୀ ମାଆକୁ ଚାହଁ
ଶୁଷ୍କତା ରେ ଦେଖ ମିଷ୍ଟତା ଭରିଛି
ଦେଖ ତା ହସିଲା ମୁହଁ ।
ବରଷାରେ ଭିଜି ଦେଖ ଗୋ ଶ୍ରାବଣୀ
ଥୁଣ୍ଟା ଗଛ ଯେ ମଞ୍ଜୁଳ
ପକ୍ଷୀ ମାନଙ୍କର ଅସ୍ପଷ୍ଟ ଭାଷାରେ
ବୃକ୍ଷେ ଆନନ୍ଦର ରୋଳ ।
ଶ୍ରାବଣରେ ଭିଜି ବୁଲି ଆସ ଥରେ
ନଦୀ , ପୁଷ୍କରିଣୀ କ୍ଷେତ୍ର
ଶୂନ୍ୟତାରେ ଆଜି ପୂର୍ଣ୍ଣତା ବିରାଜେ
ଏଇ ତ ଜୀବନ ସୂତ୍ର ।
ଶ୍ରାବଣୀ ଗୋ ତୁମେ ସରୋବରେ ଦେଖ
ପଦ୍ମ ଓ କଇଁ ର ଖୁସୀ
ସୁରୂଜ ଚନ୍ଦ୍ରଙ୍କ ଶାଶ୍ଵତ ପ୍ରେମକୁ
ଧରାରେ ଦିଅ ପରଶି ।
ଶ୍ରାବଣୀ ଗୋ ତୁମେ ଦେଇ ଦିଅ ଥରେ
ପ୍ରତୀକ୍ଷା ର ଶାନ୍ତି ବାର୍ତ୍ତା
ଚକୋର ଚକୋରୀ ମନ ମାଦକତା
ପଢ଼ି କରି ଦିଅ ବାର୍ତ୍ତା ।
ଶ୍ରାବଣୀ ଗୋ ତୁମେ ଶ୍ରାବଣରେ ଭିଜି
ଦେଖ ଯେ ମାଟିର ସାଜ
ଫୁଲ ଫଳେ ଦେଖ ଧରା ଶ୍ରୀମଣ୍ଡିତ
ସ୍ମୃତି ରେ ବି ଟିକେ ଭିଜ ।
ଗାଁ ଦାଣ୍ଡେ ବର୍ଷା ପାଣିର ସୁଅରେ
କାଗଜ ଡଙ୍ଗାକୁ ଖୋଜ
ବରଷା ପାଣିରେ ପିଲାଙ୍କ ଆନନ୍ଦ
ହଜିଗଲା କାହିଁ ହେଜ ।
ଶ୍ରାବଣୀ ଗୋ ତୁମେ ଶ୍ରାବଣରେ ଭିଜି
କୃଷକ ପାଖକୁ ଯାଅ
ଶ୍ରାବଣ ଧାରାରେ କୃଷକ ମୁହଁର
ଖୁସୀ କୁ ଯେ ମାପି ଦିଅ ।
ଶ୍ରାବଣୀ ଗୋ ତୁମେ ଶ୍ରାବଣ ପ୍ରୀତିରେ
ପ୍ରୀତି ଲଗ୍ନା ହୋଇଯାଅ
ନିଦାଘ ଶେଷରେ ପ୍ରେମ ବଂଧନରେ
ଶ୍ରାବଣକୁ ଡାକୁ ଥାଅ ।
ଶ୍ରାବଣୀ ଗୋ ତୁମେ ଶ୍ରାବଣେ କହିବ
ବର୍ଷା ରାଣୀକୁ ଆଣିବ
ଶୁଖିଲା ଶ୍ରାବଣ ହୋଇ ଆସିବନି
ଜଳ ଦାନ କରି ଯିବ ।
