ଶ୍ରାବଣୀ ଆସିଛି ଶ୍ରାବଣ ନେଇ
ଶ୍ରାବଣୀ ଆସିଛି ଶ୍ରାବଣ ନେଇ
ଶ୍ରାବଣୀ ଆସିଛି ଶ୍ରାବଣକୁ ନେଇ
କାହିଁ ନାହିଁ ମେଘମାଳା
ଭସା ବାଦଲରେ ଆକାଶ ସାଜୁନି
ନାହିଁ ତ ବିଦ୍ୟୁତ୍ ମାଳା ।
ଶ୍ରାବଣୀ ଆସିଛି ଶ୍ରାବଣକୁ ନେଇ
ହେଲେ ଶୁଷ୍କ ଏହି ଧରା
ଶ୍ରାବଣେ ହଜିଛି ବରଷା ର ଧାରା
ଏ କି ବିଲକ୍ଷଣ ପରା ।
ଶ୍ରାବଣୀ ଆସିଛି ଶ୍ରାବଣକୁ ନେଇ
କ୍ଷେତର ଶୁଖିଲା ମୁହଁ
ଶ୍ରାବଣ ଆଣିନି ବରଷା ରାଣୀକୁ
ଇଏ କି ଶ୍ରାବଣ କୁହ ।
ଶ୍ରାବଣୀ କହୁଛି ମେଘ ସବାରୀ ତା
ଚୋରୀ ହୋଇ ଯାଇ ଅଛି
ଶ୍ରାବଣ ଡାକୁଛି ମୌସୁମୀକୁ ହେଲେ
ଆସିବ ମନା କରିଛି ।
ଶ୍ରାବଣୀ ଆସିଛି ଶ୍ରାବଣ କୁ ନେଇ
ହେଲେ ମୌସୁମୀ ରୁଷିଛି
ବାଜା ବାଜୁନି କି ରୋଷଣୀ ଜଳୁନି
କି ପରମାଦ ପଡ଼ିଛି ।
ଶ୍ରାବଣୀ ଗୋ ତୁମେ ଶ୍ରାବଣ ସାଥିରେ
ମୌସୁମୀ କୁ ନେଇ ଆସ
ଶୁଷ୍କତା ରେ ପୁଣି ମିଷ୍ଟତା ବରଷ
ଦିଅ ଶୀତଳତା ସ୍ପର୍ଶ ।
ଶ୍ରାବଣୀ ଗୋ ତୁମେ ଶ୍ରାବଣ ଆଣିଛ
ଶୁଭେନି ଭେକର ରାବ
ଆକାଶ ସାଜୁନି ଇନ୍ଦ୍ରଧନୁ ରଙ୍ଗେ
ଶୁଖିଲା ଶୁଖିଲା ଭାବ ।
ଶ୍ରାବଣୀ ଗୋ ତୁମେ ଶ୍ରାବଣ ଆଣିଛ
ହେଲେ ଚାଷୀ ମୁଣ୍ଡେ ହାତ
ଶ୍ର।ବଣ କହୁଛି ସେ କିବା କରିବ
ମଣିଷର ଏହା ସୃଷ୍ଟ ।
ମୌସୁମୀକୁ ଆଜି ଶ୍ରାବଣ ଡାକୁଛି
ମୌସୁମୀ କହୁଛି ଶୁଣ
ମଣିଷ ଛେଦିଛି ନିଜ ହାତେ ଜିହ୍ଵା
ମୋତେ କରିଛି ବନ୍ଧନ ।
ଶ୍ରାବଣୀ ଗୋ ତୁମେ ଶ୍ରାବଣ ଆଣିଛ
କୁହ ବରଷିବ ଜଳ
ଏ ଜୀବ ଜଗତ ଜୀବଦାନ ପାଉ
ପୃଥିବୀ ହେଉ ଶୀତଳ ।
ନଦୀ ପୁଷ୍କରିଣୀ ପୂର୍ଣ୍ଣତା ପ୍ରାପ୍ତିରେ
ଆନନ୍ଦେ ବିଭୋର ହେଉ
ଚାଷୀ ଗୀତ ଗାଇ ଲଙ୍ଗଳ କାଂଧେଇ
ତା କ୍ଷେତ କାମ ଆରମ୍ଭୁ ।
ଶ୍ରାବଣୀ ଗୋ ତୁମେ ଶ୍ରାବଣ ଆଣିଚ
ରୂପ ସମ୍ଭାର ରେ ଭର
ଦଗ୍ଧ ମନେ ଭର ବିଦଗ୍ଧତା ପୁଣି
ବେଦନାକୁ ତୁମେ ହର ।
କେକୀ ନାଚି ଉଠୁ ଶ୍ରାବଣ ଶ୍ରବଣେ
ଶୋଭା ଦାନ କରିଦେଉ
ବନ୍ଧ୍ୟା ଦୋଷ କଟୁ ମୟୂରୀର ପୁଣି
ସୌନ୍ଦର୍ଯ୍ୟ ସୂତ୍ର ନ କଟୁ ।
ଶ୍ରାବଣୀ ଆସିଛ ଶ୍ରାବଣକୁ ନେଇ
ଶ୍ରାବଣେ ଶ୍ରାବଣ ହେଉ
ପ୍ରକୃତି ନ ରଚୁ ବିସ୍ମୟ ବେଭାର
ମାଟିର ବାସ୍ନା ମହକୁ ।
