ଶ୍ରାବଣ ସନ୍ଧ୍ୟା
ଶ୍ରାବଣ ସନ୍ଧ୍ୟା
ମୂଷଳ ଧାରାରେ ବରଷେ ବରଷା
ଶ୍ରାବଣ ସନ୍ଧ୍ୟା କାଳରେ ।
ଅଶନି ଗର୍ଜନ ଶୁଭେ ଘନ ଘନ
ଚପଳା ଚମକ ମାରେ ।
ଗୋବତ୍ସା ଫେରନ୍ତି ନିଜ ଗୋଶାଳାକୁ
ସିକ୍ତ ହୋଇ ବରଷାରେ ।
ଚଉରା ମୂଳରେ ଦୀପ କି ଜଳିବ
ଦୀପ ଜଳିଲା ଗୃହରେ ।
ଗାଁ ଗଣ୍ଡା ରାସ୍ତା ସହର ବଜାର
ଯହିଁ ଦେଖ ଜଳାର୍ଣ୍ଣବ ।
ଆବଶ୍ୟକ ଯଦି ନିହାତି ନ ପଡେ
ବାହାରକୁ କିଏ ଯିବ ?
ବାହାରୁ ଘରକୁ ଫେରୁଛନ୍ତି କେହି
ବର୍ଷାତି ବା ଛତା ଧରି ।
ପାଣି କାଦୁଅରେ ପଚ ପଚ ହେଲା
ଗାଁ ଦାଣ୍ଡଟା କିପରି ?
ଘଣ୍ଟ ଘଣ୍ଟା ବାଜେ ଦେବାଳୟେ ଏବେ
ହେଉଛି ସନ୍ଧ୍ୟା ଆଳତି ।
କଳା ବାଦଲରୁ ବରଷା ଗଳୁଛି
ତାରା ଚନ୍ଦ୍ର ନ ଦିଶନ୍ତି ।
ବରଷା ନଥିଲେ କଳାମେଘ ଦେଖି
କେକୀ ତା ପୁଚ୍ଛ ମେଲାଇ ।
ନୃତ୍ୟ ଆରମ୍ଭିଲେ ଦିଶେ ଅପରୂପ
ମୁଖେ କେ ପାରିବ କହି ।
ଚାତକ ଆନନ୍ଦ ଲଭି ବାରିଧାରା
ନିବାରିଛି ତୃଷା ତା'ର ।
ସବୁଜିମା ଦିଶେ ଧରଣୀର ବକ୍ଷ
ଗାଲିଚା କିବା ଘାସର ।
କିଶଳୟ ପନ୍ତି କି ଶୋଭା ପାଆନ୍ତି
ବିରାଜିତ ପୁଷ୍ପ ପନ୍ତି ।
ତରୁଲତାଚୟ ଶୋଭାର ନିଳୟ
ମନ ମୀନ ଆକର୍ଷନ୍ତି ।
ଶ୍ରାବଣର ସନ୍ଧ୍ୟା ପୁଲକ ଜଗାଏ
ପ୍ରେମାସ୍ପଦ ହୃଦୟରେ ।
ଦର୍ଦ୍ଦୁର ରଡିରେ ପିକ ନୀରବଇ
ଏହା ବିଚିତ୍ର ମହୀରେ ।