ଶୋଇ ଦିଅନା ଇଚ୍ଛାକୁ
ଶୋଇ ଦିଅନା ଇଚ୍ଛାକୁ
ଇଚ୍ଛା ଯୋଗୁଁ ଆମେ ସୁପ୍ତ ବା ଜାଗ୍ରତ
ଇଚ୍ଛା ଯୋଗୁଁ କର୍ମରତ
ଇଚ୍ଛାରେ ଭୋଜନ ବସିବା ଉଠିବା
ଇଚ୍ଛା ଶକ୍ତି ବଳବନ୍ତ ।
ପ୍ରବଳ ପ୍ରମତ୍ତ ହୁଏ ଅଣାୟତ୍ତ
ଇଚ୍ଛା କେବେ ମତ୍ତହସ୍ତୀ
ଦହିଦିଏ ମନ ନଳିନୀର ବନ
ଜୀବନ ହୁଏ ଅଶାନ୍ତି ।
ଇଚ୍ଛା ସବୁ ଯଦି ପାଲଟିବେ ଘୋଡ଼ା
ପାରନ୍ତେ ସମସ୍ତେ ଚଢ଼ି
ଇଚ୍ଛା ନିୟାମକ ଅଟନ୍ତି ଈଶ୍ୱର
ସ°ଯମେ ବୁଦ୍ଧି ପ୍ରକୃତି ।
ସରସ ସୁନ୍ଦର ଇଚ୍ଛା ସୁମଧୁର
ଇଚ୍ଛା ଅମୃତ ସୃଜନୀ
ନିଯୋଗି ପାରିଲେ ଇଚ୍ଛାକୁ କଲ୍ୟାଣେ
ମାନବ ସୁଜ୍ଞାନୀ ଗୁଣୀ ।
ହୁଅ ଏକନିଷ୍ଠ ସଦା ଗୁଣଗ୍ରାହୀ
ଧ୍ୟାନ ଅନନ୍ତ ମଣିକୁ
ସଚେତନ ଭାବେ କର ସୁକର୍ତ୍ତବ୍ୟ
ଶୋଇ ଦିଅନି ଇଚ୍ଛାକୁ ।
