ଶ୍ମଶାନ
ଶ୍ମଶାନ
କେଡ଼େ ବିକଟାଳ ଆହା ଏ ଭୀଷଣ ସ୍ଥଳୀ
ମଶାଣୀ ବା ଶମଶାନ ଆଖ୍ୟା ଅଛି ଧରି ।
କି ! କରାଳ ଦୃଶ୍ୟକୁ ସେ ନିଜ ଅଙ୍କେ ବୋହି
ଅନୁକ୍ଷଣେ ପ୍ରାଣୀ ଜଗତକୁ ଶିକ୍ଷା ଦେଇ ।
ଥାଏ ମଣିଷ ଜୀବନ ଅସ୍ତବ୍ୟସ୍ତ ଲୀଳା
ଶେଷ କାଳେ ଏହି ଠାବେ ଚିତା ହୁଏ ଜଳ। ।
ନିର୍ଜନ ନିଶୁନ ସଦା ଏ ବନ ପ୍ରାନ୍ତର
ଧୂମାନଳ ଆଚ୍ଛାଦିତ ଥାଏ ନିରନ୍ତର ।
ଅଙ୍ଗାର ପାଉଁଶ ପରିକୀର୍ଣ୍ଣ ରୁକ୍ଷ କୃମି-
ପୋକ ପତଙ୍ଗମେ ସଦା ଏଥି ଥାନ୍ତି ଭ୍ରମି ।
ଭଗ୍ନ ଆସବାବ ଅସ୍ଥି ଖର୍ପର ସହିତ
କୋକେଇର ଭଗ୍ନ ଖଣ୍ଡ ବହୁତ ପତିତ ।
ଠାବେ ଠାବେ ନାନା ଦ୍ରବ୍ୟ ଭଗ୍ନ ଅଙ୍ଗ ମାନ
ଶବର ଯେ କନ୍ଥା ପଟା ବେଲା ଓ ବାସନ ।
ପଡ଼ି ଏଣେ ତେଣେ ନିତି ଉପୁଜାଏ ଭୀତି
ଅର୍ଦ୍ଧଦଗ୍ଧ କାଷ୍ଠ ଗଣ୍ଡି ବହୁତ ଯେ ତଥି ।
ପଚା ଶବ ଗଦା କେତେ ପୋକ ସାଲୁବାଲୁ
ଚକ୍ଷୁ ନlସା ମୁଦି ଯାଏ ଚାହିଁ ଦେଲେ ଦୂରୁ ।
ଉତ୍କଟ ସୁ- ତୀବ୍ର ଗନ୍ଧ ଭାସି ପବନରେ
ଜନ ମନ ପ୍ରାଣ ସଦା ଯେ ଅଥୟ କରେ ।
କେଶ ଅଳଙ୍କାର ରାଶି ଏଣେ ତେଣେ ପଡି
ଘାଣ୍ଟି ହୋଇ ଥାଏ ସାଥେ ପଇସା କଉଡ଼ି ।
ଗୁଧ୍ର ଶିବା ଶୃଗାଳ ଆଦିଙ୍କ ଲୀଳାସ୍ଥଳୀ
ଭୂତ ପେତ ପିଶାଚ ଏ କରୁଥାନ୍ତି କେଳି ।
କାଳର କରାଳ ଲୀଳା ଦୃଶ୍ୟକୁ ପ୍ରଚାରେ
ଜନ ପ୍ରାଣେ ସାମ୍ୟବାଦ ଶିକ୍ଷା ଦାନ କରେ ।
ରାଜା ରଙ୍କ ବା ଭିକ୍ଷୁକ ସକଳେ ସମାନ
ବିଚାର ବିହୀନ ଦରିଦ୍ର ବା ଧନ ବାନ ।
ବାବା ମାତା ରାଜା ପ୍ରଜା ଅବା ଯଜମାନ
ବ୍ରାହ୍ମଣ ଚଣ୍ଡାଳ ସର୍ବେ ଏ ଠ।ବେ ସମାନ ।
ସଭିକଙ୍କର ଶେଷ ଦଶା ଶେଷ ପରିଣତି
ମାନବ ସମାଜ ପ୍ରତି ଶିକ୍ଷା ଦିଏ ନିତି ।
