STORYMIRROR

Bidyadhar Mantry

Drama Classics Inspirational

3  

Bidyadhar Mantry

Drama Classics Inspirational

ଶ୍ମଶାନ ତୁଳସୀ

ଶ୍ମଶାନ ତୁଳସୀ

1 min
24


ଅଗଣା ର ତୁଳସୀ ପ୍ରତି ଯେପରି 

ଶ୍ରଦ୍ଧା ଭକ୍ତି ସର୍ବୋପରି

ସମ୍ପର୍କୀୟ ମନ ଅଗଣାରେ ଶ୍ରଦ୍ଧା

ଭାବ ଥିଲା ସେହି ପରି

ମନ ଖୋଲା ହୃଦୟର ଭାବ ସହ

ଥିଲା ପ୍ରେମର ବନ୍ଧନ

ତୁଳସୀ ସମାନ ପବିତ୍ରତା ଭାବ

ହୃଦୟରେ ଥିଲା ପୂର୍ଣ୍ଣ

ପରିବାର ପରିଜନ ତରଫରୁ

ଥିଲା ପ୍ରେମର ପରଶ

ଭଲ ମନ୍ଦ ସୁଖ ଦୁଃଖେ ବାର୍ତ୍ତା ଧାରେ

ଥିଲା ନୀତି ଉପଦେଶ

ତୁଳସୀ ଯେପରି ଆରାଧନା ବେଳେ

ଠାକୁରଙ୍କୁ ହୁଏ ଲାଗି

ସ୍ନେହ ପ୍ରେମ ଗୁନ୍ଥା ସମ୍ପର୍କ ମାଳରେ

ସର୍ବେ ଥିଲେ ଲାଗି ଲାଗି

ଯେପରି ତୁଳସୀ ଶୁଦ୍ଧତା ପ୍ରକାଶେ

ଥାଇ ଘର ଅଗଣାରେ

ଶୁଦ୍ଧ ଚିନ୍ତା ଧାରା ସହ ପ୍ରେମ ଭାବ

ଥିଲା ପ୍ରତି ହୃଦୟରେ


ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ସମୟେ

ସର୍ବେ ଥିଲେ ସମ୍ପର୍କରେ

ପ୍ରତି କାର୍ଯ୍ୟାରମ୍ଭେ ଖୋଜୁଥିଲେ ସର୍ବେ

ପରାମର୍ଶ ଆଧାରରେ

ସମ୍ମାନ ର ସହ ନିମନ୍ତ୍ରଣ ପାଇଁ 

ଛୁଟି ଆସୁଥିଲେ ସର୍ବେ

ସମୟ ଅଭାବ ଅବା କାର୍ଯ୍ୟ ବ୍ୟସ୍ତ 

କଥା ନ ଶୁଣନ୍ତି ଲବେ 

ନିଜ ଉପସ୍ଥିତି ଥିଲା ସତେ ଅବା 

ହସ ଖୁସିର ଆସର 

ଘଣ୍ଟା ଘଣ୍ଟା ଧରି ହୁଏ ବାର୍ତ୍ତାଳାପ

ବେଳେ ବେଳେ ଉଜାଗର ।


ରୋଜଗାର ଶୁନ୍ୟ ଅବସ୍ଥାକୁ ଦେଖି 

ଦୂରରୁ ଦର୍ଶନ ମାତ୍ର

ତୁଳସୀ ର ପରିଚୟ ବି ସୀମିତ 

ସହଜେ ଶ୍ମଶାନ କ୍ଷେତ୍ର

ଶ୍ମଶାନ ତୁଳସୀ ପରାୟ ଜୀବନ

ଚାହିଁ ରହିଛି ଶୁନ୍ୟକୁ 

ପତ୍ର ଓ ଡାଳରେ ସ୍ମୃତି ଉଜ୍ଜୀବିତ 

ନିଜେ ପଚାରେ ନିଜକୁ

ନିଜର ମହତ ପଣିଆ ବଳରେ 

ପ୍ରିୟ ଥିଲା ସଭିଙ୍କର

ଘର ଅଗଣା ଓ ବାଡି ବଗିଚାରେ

ସର୍ବଦା ଥିଲା ଆଦର ।


ଶ୍ମଶାନ ତୁଳସୀ ପରି ନିର୍ବାସିତ 

ଅନାଦର ପରିତ୍ୟକ୍ତ

ସର୍ବହରା ଜୀବନରେ ଅନୁଭବ

ବେଦନା ପ୍ରାୟ ଅବ୍ୟକ୍ତ

ବିଚିତ୍ର ଏ ମଣିଷର ହାବ ଭାବ

ସମ୍ପଦ ବେଳରେ ପାଖେ

ଅର୍ଥ ଓ କ୍ଷମତା ହୀନ ସ୍ଥିତି ଜାଣି

କେବଳ ଦୂରରୁ ଦେଖେ

ଶ୍ମଶାନ ତୁଳସୀ ପରାୟ ଏକାକୀ 

ନାମକୁ ବିଦିତ ମାତ୍ର 

ନାହିଁ ଠାକୁରଙ୍କୁ ଲାଗି ହେବା ଗୁଣ 

ନାହିଁ ମହକ ସର୍ବତ୍ର

ତଥାପି ମନରେ ଆଶା ଉଜ୍ଜୀବିତ

ଦେଖି ବଦଳିବା ସ୍ଥିତି

ଉନ୍ନତିକରଣ ଧାରେ ଶ୍ମଶାନରେ

ଆଲୋକ କରେ ରାଜୁତି

ପାର୍କ ପରି ଭ୍ରମ ସୃଷ୍ଟି ହେଉ ଅଛି

ଦେଖି ଶ୍ମଶାନ ର ରୂପ

ଫୁଲ ଓ ତୁଳସୀ ଚାରା ରୋପଣ ରେ

ଶୋଭା ବୃଦ୍ଧି ଅପରୂପ

ଅଲୋଡ଼ା ରୁ ଠାକୁରଙ୍କୁ ଲାଗି ହେବା 

ଆଶା ଅଛି ଉଜ୍ଜୀବିତ

ତୁଳସୀର ଉପସ୍ଥିତି ଯେଉଁ ଠାରେ 

ତାହା ଶୁଦ୍ଧ ଓ ପବିତ୍ର ।


ତୁଳସୀର ମହନୀୟତା ସର୍ବଦା

ସ୍ମରଣ ରହୁ ମନରେ

ଶ୍ମଶାନ ବା ଘର ଅଗଣାରେ ଦେଖି

ହୃଦେ ପ୍ରେମ ଭାବ ରହୁ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama