STORYMIRROR

Debabrata Mishra

Action Classics Inspirational

4  

Debabrata Mishra

Action Classics Inspirational

ଶକ୍ତିସମ୍ପୂର୍ଣ୍ଣା

ଶକ୍ତିସମ୍ପୂର୍ଣ୍ଣା

1 min
410


ଅନେକ କହୁଥିଲେ, କହୁଛନ୍ତି ଆଜି ବି

ସହିଯାଅ କିଛି ଗାଳି, 

ଆଉ କିଛି ଆପଣାର ଅପମାନ 

ସହିଗଲେ ସହଜ ହୁଏ ସମାଧାନର ରାସ୍ତା, 

ଜାଣିରଖ ବଦଳିଛି ସମୟ, ବଦଳିଛି ଦୁନିଆ

ଆଜିକାଲି ସମାଜରେ ସମ୍ପର୍କର ଜଗତରେ

ସହିବାର ସୀମା ଟପିଲେ ଆସେ ଦୁରାବସ୍ଥା, 


ଅଧୁନା ବହୁତ ମହଙ୍ଗା ହେଲାଣି

ସରଳତା, ନୀରବତା ଓ ନମ୍ରତା 

ବିଷାଦ ଭାଙ୍ଗୁଅଛି କେତେ ମନର ଏକାଗ୍ରତା

ଲୋଡ଼ା ପ୍ରତିକାର ଲୋଡ଼ା ପ୍ରତିରୋଧ

ଆବଶ୍ଯକ ବେଳେ ଲୋଡ଼ା ଶୀତଳ ପ୍ରତିଶୋଧ

ବଞ୍ଚିବାକୁ ଲୋଡ଼ା ବିବେକ ସହ ବହୁତ ବୁଦ୍ଧିମତ୍ତା, 


ଏକ ନିର୍ଦ୍ଦିଷ୍ଟ କାଳଯାଏ

ହାସଲ ହୋଇଗଲାପରେ

ମନ ଭିତରେ ଲୁଚି ରହିଥିବା ସ୍ୱାର୍ଥ 

ରୂପ ଦେଖାଏ ରଙ୍ଗ ଦେଖାଏ ମଣିଷ 

ମଣିଷ ନୁହେଁ ସେ ମୁଖା ପିନ୍ଧା ଅମଣିଷ

ତୁମ ମନର ସ୍ୱପ୍ନର ପୁରୁଷ

ହଠାତ୍ ପାଲଟିପାରେ ହିଂସ୍ର ରାକ୍ଷସ, 


ତୁମକୁ ନେବାକୁ ହେବ ଦୂର୍ଗାରୂପ

ଆଉ ସେ ଯୁଗ ନାହିଁ 

ନିଜେ ଜଳିଜଳି ଦେଉଥିବ 

ଆଜୀବନ ସମସ୍ତଙ୍କୁ ଆଲୋକ, 

ଏଥର ଜାଳିବାକୁ ହେବ

ରାକ୍ଷସ ମନର ଅଳିଆଗଦାକୁ

ଶକ୍ତିର ରୂପ ଦେଖାଇବାକୁ ହେବ, 

ତୁମେ ବୀରନାରୀ ଭାରତ ଭୂମିର

ତରବାରୀ ଧରିବାକୁ ହେବ, 


ଆଉ ଏଠି ମୂଲ୍ଯ ନାହିଁ

ତୁମ ଉଦାରତାର, ଶାଳୀନତାର

ଗୋଟିଏ ମୁହୁର୍ତ୍ତରେ ଖସିଯିବ ଜାଣ

ତୁମ ଦୁଇ ଶକ୍ତ ପାଦତଳୁ ମାଟି

ଲାଗିବ ଖଣ୍ଡଖଣ୍ଡ ହୋଇ 

ଖସିପଡ଼ିଲା ସତେ କି ମୁଣ୍ଡ ଉପରେ ଆକାଶ, 

ଯେବେ ଉପଲବ୍ଧ କରିବ ତୁମେ

ତୁମ ଚରିତ୍ରକୁ କରାଯାଉଛି ଉପହାସ

ତୁମେ ବ୍ୟବହୃତ କାହିଁକି ଅନାୟାସ

ଦେଖୁ ଏ ସମାଜ ତୁମ ଦମ୍ଭ

ଦେଖୁ ଏ ଦୁନିଆ ତୁମର ରୁକ୍ଷପଣ ଓ ସାହସ, 


ଦିନକୁଦିନ ଯୁଗକୁଯୁଗ ବଢୁଛି

ସନ୍ଦେହ, ଆଶଙ୍କା, ଅବିଶ୍ବାସର ଆତଙ୍କ

ଅନେକ ଅଛନ୍ତି ଏ ସମାଜରେ ଚରିତ୍ର

ଯିଏ ଆଲୋକରେ ଭଦ୍ରତାର ବ୍ଯକ୍ତିତ୍ବ

ଅନ୍ଧାରରେ ଦେଖାନ୍ତି ଲୁଚେଇଥିବା ଦାନ୍ତ, 

ବଦଳାଇଦିଅ ସେ ପରମ୍ପରା

ନାରୀ ଅବଳାର ର ସେ ମିଛ ଭାଷଣ

ରାଜନୀତିର ପଶାପାଲି ରେ ରଖି

ସୌନ୍ଦର୍ଯ୍ୟ ର ଉଦାହରଣ ଦେଇ

ରଙ୍ଗବୋଳି ରୂପକୁ ବିକି ବିକି

ତୁମେ ନିଜ ଅଜାଣତରେ ହୋଇଚାଲିଛ ଶୋଷଣ, 


ସଚେତନ ରୁହ ସତର୍କ ରୁହ

ନିୟନ୍ତ୍ରଣ କରି ରଖ ନିଜର ମୋହ, କୋହ

ଓଠର ହସ ଓ ଆଖିର ଯେତେ ଲୁହ, 

ହେ ଶକ୍ତିର ଆଧାର ଶକ୍ତି ସମ୍ଭାର

ଯୁଗର ଆହ୍ୱାନ ଇଏ ସମୟ କହୁଛି

ଦେଖାଅ ଶକ୍ତି ବୀରତା କଠୋରତା

ତୁମକୁ ତଳିତଳାନ୍ତ କରିନଦେଉ

ତୁମ ନୀରବତା ଉଦାରତା କୋମଳତା

ତୁମେ ଦେଖାଅ କେବଳ ବୁଦ୍ଧି, ଶକ୍ତି ଓ ସାହସିକତା।


Rate this content
Log in

Similar oriya poem from Action