STORYMIRROR

Samita Swain

Inspirational

4  

Samita Swain

Inspirational

ଶକ୍ତି ସ୍ବରୂପା

ଶକ୍ତି ସ୍ବରୂପା

1 min
285


ସଶାଗରା ଧରା ସଜେଇ ହୋଇଛି

  ଭରା ଅର୍ଘ୍ୟଥାଳି ଧରି

ସ୍ବାଗତ କରିବ ଶକ୍ତି ସ୍ବରୂପାଙ୍କୁ 

  ପୂଜା ଆରାଧନା କରି।।


ଗୋଧୂଳି ଆକାଶେ ଶରତ ହସୁଛି 

   ଶୁଭ୍ରାଲୋକ ଢାଳିଦେଇ

ଚାମର ହଲାଇ କାଶତଣ୍ଡୀ ନାଚେ

   ତନୁକୁ ତା' ଲହରାଇ।।


ସ୍ବଚ୍ଛ ଜଳରାଶି ସରାଗରେ ହସି

  ପ୍ରୀତିର ପ୍ରଲେପ ମାଖି 

ସଧୀରେ ଦେଖାଏ ପ୍ରକୃତିର ବିମ୍ବ 

  ଗତିଧାରା ସ୍ଥିତ ରଖି।।


ଚନ୍ଦ୍ରିକା ଚର୍ଚ୍ଚିତ ଜୋସ୍ନାରେ ବିଧୌତ

  ଲାସ୍ଯମୟୀ ନିଶୀଥିନୀ 

ସଜ ଶିଶିରରେ ପଣତ ଭିଜାଇ 

  ଛିଞ୍ଚେ ସୁଧା ସଂଜୀବନୀ।।


ଶ୍ଯାମଳ ଶ୍ଯାମଳ ଲାଗେ ଦୁର୍ବାଦଳ

   ମଥା ଟେକି ଚାହିଁ ଥାଏ

ସତେ ଅବା କି'ଏ ବିଛାଇ ଦେଇଛି

   ସବୁ ଜିମା ବସ୍ତ୍ରଟିଏ।।


ନୀଳ ଗଗନର ବଉଦ ଫାଙ୍କରେ

  ମେଘମାଳା ଯାଏ ଭାସି

ମନ୍ଦ୍ର ମରୁତରେ ଲୁଚକାଳି ଖେଳି

  ବେଳେ ଛୁଏଁ ଶିଳାରାଶି।।


ନାନାଜାତି ପୁଷ୍ପ ପସରା ମେଲାଇ

 ଅବନୀ ଶୋଭା ବଢାଇ

ବର୍ଣ୍ଣାଢ୍ଯ ବର୍ଣ୍ଣରେ ରମ୍ଯଛବି ଆଙ୍କେ

   ଉତ୍ସବ ମୁଖର ହୋଇ।।


ଶରତ ସକାଳେ ଶେଫାଳି ଲୋଟଇ

   ବସୁଧାର ଛାତିପରେ

କ୍ଷୀଣ ସମୟର ଆୟୂଷକୁ ନେଇ

   ସମର୍ପିତ ଭାବନାରେ।।


ଅପୂର୍ବ ସୌନ୍ଦର୍ଯ୍ୟ କମନୀୟ ଚିତ୍ର 

    ପ୍ରକୃତିର ପଟଳରେ

ପାର୍ବଣ ପାର୍ବଣ ଲାଗୁଛି ଧରଣୀ

  ନବରାତ୍ରର ପୂଜାରେ।।


ଆସ ମା' ଭବାନୀ ଜଗତ ଜନନୀ

   ମରତ ଧାମେ ଓହ୍ଲାଇ 

ନବ ମାତୃକାର ନବ ସ୍ବରୂପରେ

  ଧର୍ମ ସଂସ୍ଥାପନ ପାଇଁ।।


ନବଧା ଭକ୍ତିର ନବାକ୍ଷରୀ ମନ୍ତ୍ରେ

  ନବଶକ୍ତି ପ୍ରାପ୍ତ ହୋଇ

ପୁଲକିତ ହେଉ ସର୍ବଜନ ମନ

  କୃପାକର କୃପାମୟୀ।।


ଦିଅ ମା' ଆଶିଷ ହରି ନିଅ କ୍ଳେଶ 

  ସର୍ବମାତା ସର୍ବେଶ୍ଵରୀ

ସର୍ବରୂପା ଦେବୀ ଶରଣ ଦାୟିନୀ

   ମହାମାୟା ମହେଶ୍ଵରୀ।।



Rate this content
Log in

Similar oriya poem from Inspirational