ସହିଯାଏ ବୋଲି
ସହିଯାଏ ବୋଲି
ସହିଯାଏ ବୋଲି...
ନାରୀ ସର୍ବଂସହା, ସଦା ସବୁଜ ଧରିତ୍ରୀ
ମମତାମୟୀ, ସ୍ନେହୀ, ଶ୍ରଦ୍ଧାମୟୀ, ଶକ୍ତିମୟୀ,
କେବେ କହିଦେଲେ...
ଚଣ୍ଡୀ, ରଣଚଣ୍ଡୀ, ଅଗ୍ନି, ଅପରାଧିନୀ
କଠୋର, ନିଷ୍ଠୁର, ସଂସ୍କୃତିହୀନା ଓ କୁସଂସ୍କାରୀ,
ସହିଯାଏ ବୋଲି...
ନାରୀ ଶ୍ରେଷ୍ଠ, ଭଲ ସ୍ତ୍ରୀ, ତ୍ଯାଗର ପ୍ରତୀକ
ଦୁଇକୁଳହିତା, ସୁନାନାକୀ ବୋହୁ, ଅହିସୁଲକ୍ଷଣୀ,
କେବେ କହିଦେଲେ...
ଅତ୍ୟାଧୁନିକା ଚରିତ୍ର, ସ୍ୱାର୍ଥପର, ଶିଷ୍ଟହୀନା
ଲଜ୍ଜାହୀନ, ବିଶୃଙ୍ଖଳିତା, ଏକଘରକିଆ,
ସହିଯାଏ ବୋଲି...
ନାରୀ ଧୈର୍ଯ୍ୟର ମନ୍ଦିର, ସେବାର ଉଦାହରଣ
ସ୍ୱୟଂ ଅନ୍ନପୂର୍ଣ୍ଣା, ସମ୍ପୂର୍ଣ୍ଣା, ସୁଗୃହିଣୀ,
କେବେ କହିଦେଲେ...
ମୁହଁଖୋର ସ୍ତ୍ରୀ, ଅପତିବ୍ରତା, ଅଶିକ୍ଷିତା
ଅଳସୋଇ ବୋହୁ, ଠକ-ଲୋଭି ନାରୀ,
ସହିଯାଏ ବୋଲି...
ନାରୀ ମହନୀୟା, ସମ୍ମାନନୀୟା,ବନ୍ଦନୀୟା
ମା' ଲକ୍ଷ୍ମୀ, ସରସ୍ୱତୀ, ପବିତ୍ର, କୋମଳମତି
କେବେ କହିଦେଲେ...
ନାରୀ ଦୋଷୀ, ପାପି ମଣିଷ, ଚରିତ୍ରହୀନା
ଦୟାହୀନ, କ୍ଷମାହୀନ, କ୍ରୁରତାର ପ୍ରତୀକ।
