STORYMIRROR

Niranjan Mishra

Inspirational

4  

Niranjan Mishra

Inspirational

ଶିଶୁ ଶ୍ରମିକ

ଶିଶୁ ଶ୍ରମିକ

1 min
280

ସଂସାର କଅଣ ଜାଣିବା ଆଗରୁ

ଏତିକି ଜାଣୁଛି ମୁହିଁ

ପେଟ ଚାଖଣ୍ଡକ ପୁରାଇବା ଲାଗି

ଶ୍ରମିକ ସାଜିଛି ମୁହିଁ ।


ବାପା ମାଆ କେତେ ଆଶା କରିଥିଲେ

ପାଠ ପଢାଇବେ ମୋତେ

ବାଧିକା ପଡିଲେ ଓଷଦ ମିଳୁନି

କୁଆଡୁ ଆଣିବେ କେତେ ।


ଖାଇବାକୁ ମୁଠେ ମିଳୁନି ଯାହାକୁ

ପାଠ ପଢାଇବେ କାହୁଁ

କୁନି କୁନି ହାତେ କିଛି କାମ କରି

ଧନ ଅରଜିବି ମୁଁ ।


ବାପା ମାଆଙ୍କର ସାହାରା ହୋଇବି

ଖାଇ ପିଇ ସୁସ୍ଥ ହେଲେ

ପାଠ ମୁଁ ପଢିବି ପଇସା ବଞ୍ଚାଇ

ଆଗକୁ ଆଗକୁ ଗଲେ ।


ବାପାମାଆଙ୍କର କାମନା ପୂରଣ

କରିବି ଭବିଷ୍ୟତରେ

ଶିଶୁ ଶ୍ରମିକ ମୁଁ ହାରିଯିବି ନାହିଁ

ଭବିଷ୍ୟତ ମୋ ଆଗରେ ।


ଆଇନ୍ ହୋଇଛି ଶିଶୁ ଶ୍ରମିକଙ୍କୁ

ଖଟାଇ ପାରିବ ନାହିଁ

ପେଟ ମୋ ପୋଡୁଛି ମୋ ପେଟକୁ କିଏ

ଚିହ୍ନିକି ପାରୁଛ ଭାଇ ।


ଶିଶୁ ଶ୍ରମିକଙ୍କୁ ସୁରକ୍ଷା ଦେବାକୁ

ଲାଗିଛନ୍ତି ସରକାର

ଶିଶୁ ଗୃହେ ରଖି ପାଠ ପଢାଇବେ

ସୁରକ୍ଷା ହେବ ଆମର ।


କିଛି ମୁଁ ବୁଝୁନି ମୋ ମୁଣ୍ଡେ ପଶୁନି

ମୁଁ ଯେଉଁ ଇଲାକାରେ

ରହିଛି ସେଠାକୁ କେହି ନଆସନ୍ତି

ରକ୍ଷକ ପୁଣି କିଏରେ ।


ମୋତେ କିଏ ଦେବ ସୁରକ୍ଷା କହିବ

ପିତାମାତାଙ୍କର ମୋର

ଭରଣପୋଷଣ ହୋଇବ କିପରି

କିଏ ହେବ ସହଚର ।


କା ଉପରେ କିଆଁ ନିର୍ଭର କରିବି

ମୋ ଗୋଡରେ ନିଜେ ଠିଆ

ହେବାକୁ ଚାହୁଁଛି ପ୍ରୟାସ କରୁଛି

ଫୁଲି ଉଠୁଛି ମୋ ହିଆ।


ଦିଅ ମୋତେ ପ୍ରଭୁ ଏତିକି ଶକତି

ପୁରୁ ମୋର ମନୋରଥ

ଶିଶୁ ଶ୍ରମିକ ମୁଁ ଏତିକି ମାଗୁଛି

କରି ମଥା ଅବନତ ।


Rate this content
Log in

Similar oriya poem from Inspirational