ଶିଶୁ ଶ୍ରମିକ
ଶିଶୁ ଶ୍ରମିକ
କୋମଳ ହୃଦୟ କୋମଳାଙ୍ଗ ତା'ର
ପୀଡ଼ା ଦିଅ ନାହିଁ ତାକୁ।
ଦେଶ ଭବିଷ୍ୟତ ତା ହସ୍ତରେ ନ୍ୟସ୍ତ
ଟାଣିବା ଏ ନନ୍ଦିଘୋଷକୁ।।
ଶିକ୍ଷା ଦୀକ୍ଷା ସାର ମସଲା ପରିକା
ଗଢିବ ଜୀବନ ତା'ର
ଫୁଲ ଟିଏ ହୋଇ ବିତରିବ ବାସ
ହେବ ସର୍ବ ଗଳାହାର।।
ଜନମ ଭୂଇଁର ଟେକ ସେ ରଖିବ
ଶତ୍ରୁକୁ ଦମନ କରି
ପ୍ରେମର ବାରତା ଜଗତେ ପ୍ରସାରି
ଖୁସି ଦେବ ପ୍ରାଣେ ଭରି।।
ଶିଶୁରୁ ଶ୍ରମିକ ନ କରିବା ତାକୁ
ପ୍ରଦାୟୀ ସ୍ନେହ ଆଦର
ଛଅରୁ ଚଉଦ ପ୍ରାଥମିକ ଶିକ୍ଷା
ଗଢ଼ିବ ତା'ର ଚରିତ୍ର।।
ଶୈଶବୁ କରିଲେ ଯତନ ତାହାର
ରତ୍ନ ପାଲଟେ ମାଟିରେ
ଶିଶୁ ଭଗବାନ ଅଟଇ ମହୀରେ
ବିଶ୍ୱ ଦିଶିଛି ତା ପାଟିରେ।।
