ଶିଶୁ କନ୍ଯାର ଲୁହ
ଶିଶୁ କନ୍ଯାର ଲୁହ
ପାପୀ ଦୁରାଚାରୀ ହିଂସ୍ର ପଶୁ
କାମୁକ ଶ୍ୱାନ ତୁ ରକ୍ତପିପାସୁ ।
ନିର୍ଦ୍ଦୟ ତୁହିରେ ଅଙ୍ଗରାକ୍ଷସ
ହୀନଚକ୍ଷୁ ତୋର ତୁ ତ ବିଷ ।
ଅସହ୍ୟ ତୋ'ପାଇଁ ଏ ସମାଜ
ବଞ୍ଚିବା ଲାଗଇ ଏଠି ଅସହଜ।
କାପୁରୁଷ ତୁହି ଅଭିଶପ୍ତ ଜୀବ
କଦର୍ଯ୍ୟ ଭାବନା ତୋତେ ମାରିବ ।
ସୀମା ଟପି ଗଲେ ହେବ ଅସ୍ତ୍ର ପ୍ରକାଶ
ମରଣ ଲୋଡ଼ିବନି ଜମା ତୋ ଅବକାଶ ।
କୁତ୍ସିତ କାମନାରେ ଚିନ୍ତାରେ ତୁ ଗଲୁଣି ସଢି
ତୋତେ କମ୍ ହେବ ଦଣ୍ଡ ଯମରାଜଙ୍କ ଦଉଡ଼ି ।
ନୀରିହ ନିଶ୍ୱାସେ ଯିବୁରେ ଜଳି କଅଁଳ ମନକୁ ମାରି
କ୍ଷମା ଶୂନ୍ଯ ତୁହି ତୋ'ଆଗେ ନିଷ୍ଠୁର ବି ଯିବ ରେ ହାରି ।
ଅକଥ୍ୟ ଲୁହଲହୁ ଯେତେ ବହେ ଶିଶୁକନ୍ୟା ନୟନୁ
ଦୟାର କାଣିଚାଏ ମିଳିଯିବ ଏସବୁ କାଢିଦେ ମନୁ ।
ଅବତାର ନିଅ ହେ ପ୍ରଭୁ ଶାସନ ପ୍ରଶାସନ ନିର୍ଜୀବ
ବିବେକ ବିକ୍ରି ଗଢନ୍ତି ଜୀବନ କିଏ ବା କ'ଣ କହିବ।
ଅସହାୟ ଏଠି ପିତାମାତା ଖାଲି ଟଙ୍କା ଚାଲେ
ରାଜନୀତି ଏଠି ଆରମ୍ଭ ପରା ଶବ ଆସିଲେ ।
କାନ୍ଦୁଛି ଏକାକୀ ଶୈଶବ କହେ ରକ୍ଷାକର
ଜ୍ଞାନୀ ମାନେ କୁହନ୍ତି କର ମଦ ବେପାର ।
ନିଶାସକ୍ତ ଯେ ଅନ୍ଧ କାଲ ଶୁଣେନି ଚିତ୍କାର
ଟଙ୍କା କ୍ଷମତା ମଧୁଚନ୍ଦ୍ରିକା ଗାଦିର ଭାର।
ଲୁହରେ ଜଳିବ ରକ୍ତପାତ ନିଶ୍ଚେ ହେବ
ନିୟମ ନ୍ୟାୟ ବିଚାର ହଟି ରକ୍ତ ବହିବ ।
ବିଚାରକର ହେ ସେବକ ଡେରିନକରି
ବନ୍ଧ ଭାଙ୍ଗିଗଲେ ହେବ ବନ୍ୟା ଲହରୀ ।
ହେ ଈଶ୍ବର ରକ୍ଷାକର ଶିଶୁର ଜୀବନ
ତୁମ ପରିବାର ତୁମେ ହିଁ କର ସମ୍ପନ୍ନ ।
"ପରୀ" ପରି କେତେ ଜୀବନ ଯିବ
ଧରିତ୍ରୀ ନିଶ୍ଚୟ ଏଥର ଫାଟିପଡ଼ିବ।
