ଶିଶିର ଭିଜା ସକାଳ
ଶିଶିର ଭିଜା ସକାଳ
ଶିଶିର ର ବୁନ୍ଦା ଘାସ ଗାଲିଚାରେ
ଖୁସିରେ ଅପେକ୍ଷାରତ
ଫୁଲର ସମ୍ଭାର ବନ ଉପବନେ
ଶୀତକୁ କରେ ସ୍ବାଗତ
ନିଜକୁ କୁହୁଡି ଭିତରେ ଘୋଡେ଼ଇ
ଶୀତ ଆସଇ ସମ୍ପ୍ରତି
ଘାସ ଗାଲିଚାରେ ପାଦ ଥାପି ଥାପି
ଦାବି କରେ ଉପସ୍ଥିତି
ଘାସ ଗାଲିଚାରେ ଶିଶିରର ବୁନ୍ଦା
ଝଲସେ ମୋତି ପରାୟ
ଧରା ପୃଷ୍ଠେ ଶୀତ ରାଣୀ ବିରାଜିତ
ଚର୍ଚ୍ଚିତ ଖବର ପ୍ରାୟ
ସୂର୍ଯ୍ୟ କିରଣ ର ଆଭା ଧୁମ୍ର ମୟ
କୁହୁଡି ଭରା ବଳୟ
ତନ ମନ ପ୍ରାୟ ଶିହରୀ ଉଠୁଛି
ଉସ୍ମତା ପାଇଁ ଅଥୟ
କାହାକୁ ହିତ ଅବା କାହାକୁ ଅହିତ
ଦେଖୁଛି ଶୀତ ନିରେଖି
ସାମୟିକ ଭାବେ କିଏ ଖୋଜେ ମିତ
ଶୀତ ଘୁରାଉଛି ଆଖି
ଧାନ କ୍ଷେତ ହସେ ଶୀତ ଆଗମନେ
ଶିଶିର ବର୍ଷା ବିନ୍ଦୁରେ
ଚାଷୀ ଭାଇ ମନେ ଅସରନ୍ତି ଖୁସି
ବୁଲି ବିଲ ହୁଡା ଧାରେ
ଶୀତୁଆ ସକାଳେ ଧାନ କିଆରିକୁ
ଛୁଇଁ ଯାଏ ଯେବେ ଶୀତ
ଚାଷୀ ଭାଇ ମନ ପ୍ରାଣ ଆହ୍ଲାଦିତ
ଦେଖି ସେ' ସୁନାର କ୍ଷେତ
ଶୀତୁଆ ସକାଳେ ଧ୍ୟାନ ରତ ବଗ
ଗହୀର ଧାନ କ୍ଷେତରେ
ସୁନେଲି କିରଣେ କୃଷକର ହସ
ବଗର ଧ୍ୟାନ ଭଗ୍ନରେ
କାହିଁକି କେଜାଣି ଗୀତ ଗାଇବାକୁ
ମନ ହୁଅଇ ତତ୍ପର
ଶୀତ ହୋଇଥାଏ ହୃଦୟେ ପ୍ରତ୍ୟୟ
ସତେ ନିହାତି ନିଜର
ଶୀତୁଆ ସକାଳେ ପ୍ରାତଃ ଭ୍ରମଣରେ
ଭାରି ମଜା ପାଦ ଚଲା
କୁହୁଡି ଚାଦର ଘେରା ପରିବେଶ
କାକର ଟୋପା ଚଗଲା
ଅଙ୍ଗ ଅବୟବ ଖୋଜେ ଉଷ୍ମ ସ୍ପର୍ଶ
ମନ ଚାହେଁ ପ୍ରାଣ ମିତ
ମିତ ସହ ଦେହ ଉଷ୍ମତା ମାପିବା
ଇଶାରା କରୁଛି ଶୀତ
ଅପେକ୍ଷାରତ ସେ'ଫୁଲ ଫୁଟି ଖେଳେ
ଶୀତୁଆ ପବନେ ଦୋଳି
ଶୀତ ବସ୍ତ୍ର ବିନା ନବ ଜାତ ଶିଶୁ
ଦେହ ଉଠାଏ ଉଛୁଳି
ରାସ୍ତା କଡେ ବାସ ହିନ ପିଲା ମାନେ
ନିଆଁ ଜାଳି ହୋଇ ମେଳି
ହସ ର ଆଭାସ ପଡୁଛି ଉଛୁଳି
ଉଷ୍ମତା କୁ ଅଙ୍ଗେ ବୋଳି
ଅଳସୁଆ ଶୀତ ସକାଳର ପ୍ରୀତି
ଖୁସି ନବ ବିବାହିତ
ଶୀତୁଆ ପିରତି ଭାରି ମିଠା ମିଠା
ପ୍ରୀତି ପାଇଁ ଶୀତ ହିତ
ଶୀତ ରାଣୀ କହେ କୁହୁଡି ଘୋଡେ଼ଇ
ସଅଳ ଉଠ ସକାଳେ
ପ୍ରାତଃ ଭ୍ରମଣରେ ହୁଅ ଆଗଭର
ଖୋଲା ଆକାଶର ତଳେ
କଅଁଳିଆ ଖରା ମୁରୁକି ହସୁଛି
କୁହୁଡି ଭିତରେ ରହି
ଶୀତ ରାଣୀ ବାଟ ଓଗାଳି ଦେଇଛି
ଅବୟବ କୁ ଥରେଇ
ଶୀତ ସକାଳୁଆ କୁହୁଡ଼ି ଘେରରେ
ଲୁଚେ ସୂର୍ଯ୍ୟଙ୍କ କିରଣ
ଯଦିଓ କିରଣ ହୁଏ ପ୍ରକାଶିତ
ଉତ୍ତାପ ହୁଏନି ଟାଣ
ଶୀତ ଛୁଇଁ ଦେଲେ ସଭିଙ୍କ ମନରେ
ଉଷୁମ ପାଇଁ ଲାଳସା
ଶରୀରକୁ ଉଷ୍ମ ରଖିବା ପ୍ରୟାସ
ଜାଗ୍ରତ ହୁଏ ସହସା
ଗରମ ପୋଷାକ ଥାଉ ବା ନଥାଉ
ସକାଳର ନିଆଁ ପୁଆଁ
ଅନୁଭବୀ ମାତ୍ର ବୁଝାଇ ପାରିବ
ନିଆଁ ପୁଆଁ ମଜାଳିଆ
ଗ୍ରାମ ବା ସହର ଭେଦ ଭାବ ନାହିଁ
ଶୀତ ପାଖେ ଆପଣାର
ବୟସର ବର୍ଗ ଯାହା ହୋଇ ଥାଉ
ଉତ୍ତାପ ଖୋଜେ ଶରୀର
ଶୀତୁଆ ସକାଳୁ ନିଆଁ ପୁଆଁ ଖୁସୀ
ନିଆଁ ପାଖେ ଉଠା ବସା
ଖୋଲା ଜାଗା ଦେଖି ନିଆଁ ଚାରି ପାଖେ
ମେଳି ହୁଅଇ ସହସା
ଶୀତୁଆ ସକାଳୁ ନିଆଁ ପୁଆଁ ମେଳି
ଦେଖିଲେ ମନ ଉଚ୍ଚାଟ
ଆପେ ଆପେ ପାଦ ଆଗକୁ ବଢ଼ଇ
ନିଆଁ ପୁଆଁ ମେଳେ ଭେଟ
ନିଆଁ ପୁଆଁ ସହ ଭାବ ଦିଆ ନିଆ
ତନ ମନ ପାଇଁ ହିତ
ଭାଇଚାରା ଭାବ ଜାଗି ଉଠେ ହୃଦେ
ମାନବିକତା ସହିତ
ବେଳେବେଳେ କଅଁଳିଆ ଖରା ଆସେ
ଭେଦି କୁହୁଡି ଚାଦର
ସୁନେଲି କିରଣ ହୁଏ ବିଛୁରିତ
ଦୃଶ୍ୟ ଅତି ମନୋହର ।
