ଶିମିଳି ତୁଳା
ଶିମିଳି ତୁଳା
କାଳବୈଶାଖୀ ଆସି ମୋତେ
ଠେଲିନେଇଯାଏ ଆଗକୁ ଆଗକୁ
ନରମ ଶିମିଳି ତୁଳା ମୁଁ ଉଡିଉଡି ଯାଏ
ଆକାଶରୁ ନିଆଁହୁଳା ପ୍ରଚଣ୍ଡତା ବର୍ଷୁଥାଏ
ଅରଣ୍ୟ ନିଆଁରେ କୁହୁଳୁଥିବା
ମୋ ଜନ୍ମଭୂମି, ମୋ ମହକିତ ମାଟି
ମୋ ପରିଚିତ ପାଣି, ମୋ ଧର୍ଯ୍ୟବନ୍ତ ପାହାଡ଼
ମୋ ସ୍ନିଗ୍ଧ ଝରଣା ମୋ ପ୍ରିୟ ଅଗଣା
ପଛରେ ପଛରେ ସବୁ ଛାଡିଯାଉଥାଏ
ପତ୍ର ଆଢୁଆଳୁ ପୋଡା, ଦରସିଝା ସମ୍ପର୍କ
ମାନେ ଆର୍ତ୍ତନାଦ କରି କହୁଥାନ୍ତି
ଉଡିଯା, ଚାଲିଯା ଏଠୁ
ନଦୀ , ଡ଼ଙ୍ଗର , ତୋଟା , ନାଳ ଡେଇଁ
କଷ୍ଟ ଆଉ ଜର୍ଜରିତ ବାକି ଜୀବନକୁ ମୁଠେଇ
ମୋ ଗାଁ ନଦୀ ଧାରେ ଧାରେ ମୁଁ ଆଗକୁ ଆଗକୁ
ଆଉ ନିଜଲୋକ ମାନଙ୍କୁ
ନିଆଁରେ କୁହୁଳିବାକୁ ଛାଡିଦେଇ
କ୍ଷେପି ଯାଉଥାଏ କାହିଁ ଟୋପାଏ ଇଚ୍ଛା ନଥାଇ
ରାତିଏ ଦୁଇ ରାତି ଉଡିଲା ପରେ
ପହଞ୍ଚେ ଯେଉଁଠି ସମୁଦ୍ର ସଙ୍ଗେ ମିଶିଥାଏ ହ୍ରଦ
ନିଆଁରେ ତଥାପି ଝଲସୁଥାଏ ମୋ ଆଖି,
କୁହୁଳୁଥାଏ ମୋ ସନ୍ତାପିତ ହୃଦ
ଭେଟୁଥାଏ ବାଜ, ପାଣିକୁଆ
ଆଉ ମାଛରଙ୍କାଙ୍କ ଶିକାର
ଅଣ୍ଡାଳି ହେଉଥିବା ଚଣ୍ଡାଳ ଆଖିମାନଙ୍କୁ
ସମୁଦ୍ରବାଲିରେ ସାଲୁବାଲୁ ଶ' ଶ'
ନାଲି କଙ୍କଡାମାନଙ୍କ ପରି
ଖୁଜୁବୁଜିଆ ବ୍ୟସ୍ତ ଜୀବନ ମାନଙ୍କୁ
ଉଦାସ ପଳାସ ଆଉ ଖିଲି ଖିଲି କରି
ଯୌବନର ସୁଗନ୍ଧ ବିସ୍ତାରୀ ହସୁଥିବା,
ରସୁଥିବା ମଲ୍ଲୀମାନଙ୍କୁ ଦେଖେ ଠାଏ ଠାଏ
ମୋ ବ୍ୟଥିତ ଛାତିରେ ମୋ ଚିର ସହଚର
ହତାଶକୁ ଜାବୁଡି ମୁଁ ପୋତାମୁଁହିଟିଏ ହାଏ
ମୋ ପୂର୍ବଜଙ୍କ ପାଉଁଶମାଟିରେ ମିଶିବାପାଇଁ
ନିମ୍ନମୁଖା ହୋଇ ଖସି ଖସି ଯାଏ
ଦଳି ଚକଟିହେବା ପୂର୍ବରୁ
କାହା ବ୍ୟସ୍ତ ପାଦତଳେ
କାହୁଁ ଆସି ଧାରେଓଠ ଫୁଙ୍କିଦିଏ ମୋତେ
ରକ୍ଷକଟିଏ ମୋତେ ଉଦ୍ଧାରକରି ସତେ
ଆକାଶେ ଶୁଭ୍ର ସମ୍ମୋହନର ହସ ଖେଳାଏ
ଏ ମାଂସଲୋଭୀ,ପରଜୀବି, ରାକ୍ଷସ ଦେଶରେ
ନ ଛୁଇଁ ବି ପରିପକ୍ୱ ଗମ୍ଭୀର୍ଯ୍ୟଟିଏ ଛୁଇଁ ଛୁଇଁ ଯାଏ l
ଶିହରୀଉଠେ ମୁଁ ଅମୋଦିତ,ପ୍ରଗଳଭ ହୋଇ
ପୋଡୁଥିବା ମନରେ ଶୀତଳ ପ୍ରଲେପ ପାଇ
ଏମିତି ବି କଣ ହୁଏ?
ଭାବୁଥାଏ ମୁଁହି
ଗୋଲାପ,ବଉଳ,ହେନା, ଜୁଇ, ଜାଇ
ମାଳତୀ, ଚମ୍ପା, ମଲ୍ଲୀ ଚାରିପାଖେ ଥାଇ
ବାସ୍ନା ବିଭୋର କରେନି ତାକୁ,
ମୋହୁଥାଏ ମୁଁହି ବିନା ବାସ୍ନାରେ କେଜାଣି କାହିଁ
କହେତାକୁ ମୁଁ ପରା ଦରପୋଡା, ଅଶୁଭ, ବିକ୍ଷିପ୍ତ
ମନେ ମନେ କହେ ନ କହି ମୋ କାନେ
ପ୍ରକୃତି କୋଳରେ ଯଦି ହୋଇଛୁ ତୁ ଜାତ
କଷ୍ଟଲବ୍ଧ ଜୀବନକୁ କରନାହିଁ ଅପମାନିତ
ସବୁ ବାଧା ଭୁଲି...ଯା' ଉଡିଯା'ରେ ସଙ୍ଗାତ
ଜୀବନର ତାଳେ ତାଳେ ଗାଇ ବିଶ୍ୱାସର ଗୀତ
ଛୁଇଁବାକୁ ହେବ ତୋତେ ଗଗନର ଶ୍ରେଷ୍ଠତ୍ତ୍ୱ
ଖରା,ବର୍ଷା,ଘାତ,ପ୍ରତିଘାତ ସହି ଉଡୁଥାଏ
ଯେପରି ସର୍ଵଜନ ପୂଜିତ, ସର୍ଵଜନବିଦିତ
ଶ୍ରୀମନ୍ଦିର ଚୁଳରେ ଶୁଭ ପତିତପାବନ ନେତ....ll