ଶିଳ୍ପୀ
ଶିଳ୍ପୀ
ଶିଳ୍ପୀ! ତୁମେ ଆଙ୍କୁଥାଅ
ଶୂନ୍ୟ କାନଭାସ ପରେ
ରଂଗ ମାଖି ବର୍ଷା, ବସନ୍ତ, ଫଗୁଣ
ପାହାଡି ଝରଣାର କଳକଳସ୍ୱର
ଉଜୁଡା କ୍ଷେତ, ଦୁଃଖିନୀ ସ୍ୱର
ଅବା କ୍ରାନ୍ତିବୀର ।
ଭଙ୍ଗା କାନ୍ଥ, ମାଟିହାଣ୍ଡି
ପିଣ୍ଡା, ମଠ, ମନ୍ଦିର
ଚଟିଆ, ଚେମେଣି
ମାଙ୍କଡ, କୁକୁର
କେତେ ଯେ ଗାଁ-ଗଣ୍ଡା-ସହର ।
କିନ୍ତୁ ତୁମ-
ଦୁଃଖେ, ସୁଖେ, ଅଭିମାନେ
କେବେ କାନ୍ଦେନା ତ ତୂଳୀ
ବୁଝେନି ତ ରଙ୍ଗ ତବ
ମନକଥା କେବେ! ।
ତଥାପି ହେ ଶିଳ୍ପୀ,
ତୁମେ କେଉଁ କାରଣରୁ
ନିଃସର୍ତ୍ତ ସନ୍ଧି କଲା ପରି
ଭଲ ପାଅ ତୂଳୀକୁ, ରଙ୍ଗକୁ
ଶୂନ୍ୟ କାନଭାସକୁ?
ମର୍ତ୍ତ୍ୟରେ ପାରିଜାତ ଫୁଟାଇ
ମରୁରେ ତୃଷ୍ଣା ମେଣ୍ଟାଇ
ଅନ୍ୟ ଏକ ପ୍ରକୃତିକୁ
ସୃଷ୍ଟି କରି ପାରିବାର
ସ୍ରଷ୍ଟାଟିଏ ସାଜି ।