ମାଆର ମମତା
ମାଆର ମମତା
ମଣିଷ ଆଜି ଚନ୍ଦ୍ର ପୃଷ୍ଠର ଦୂରତ୍ୱ ମାପି ସାରିଲାଣି
କିନ୍ତୁ ମାଆର ମମତାକୁ କିଏ ମାପି ପାରିଛି କି କୁହ ?
ସେ ବି ତ ସମସ୍ତଙ୍କ ପରି ମଣିଷ ଭିତରେ ମଣିଷଟିଏ
ତଥାପି କେମିତି କେଜାଣି ସେ ଏତେ ସହିପାରେ ?
ସେ ଏତେ ଜଳିପାରେ ?
ସାରା ଜୀବନଟା ତାର ଦୁଃଖ ଯନ୍ତ୍ରଣାରେ
ଜର୍ଜରିତ ହୋଇ ବି / ମୁହଁରେ ହସ ଫୁଟାଇ ପାରେ ?
ଯିଏ ଯାହା କହୁ ପଛେ, ମଥାପାତି ସହିନିଏ
ଖାଇଲେ ବି ଖୁସି, ନ ଖାଇଲେ ବି
ଜୀବନ ତମାମ ଜଳି ଜଳି / ଛୁଆମାନଙ୍କର ଖୁସି ପାଇଁ
ଠାକୁରଙ୍କ ପାଖରେ ଅଧିଆ ପଡ଼ି / ଗୁହାରୀ କରୁଥାଏ
ଅନ୍ତରରୁ ଅନ୍ତରୀକ୍ଷ ଯାଏ, ଶୁଭ ମନାସୁ ଥାଏ,
ସିଏ କଣ ମାନବୀ ?
ନା ସେ ଜଣେ ମହାମାନବୀ !
ତାକୁ କିଏ ପଚାରୁ ବା ନ ପଚାରୁ/ କିଏ କିଛି ଦଉ ବା ନଦଉ
ତା ମନ କଥା କିଏ ବୁଝୁ ବା ନବୁଝୁ
ତାକୁ କିଏ ଭଲ ପାଉ ବା ମନ୍ଦ କହୁ
ସେ ଚନ୍ଦ୍ରର ଶୀତଳତାସମ
ନିର୍ଦ୍ୱନ୍ଦରେ ଢାଳିଚାଲେ / ତାର ସ୍ନେହ, ଶ୍ରଦ୍ଧା, ପ୍ରେମ
ବିନା ସ୍ୱାର୍ଥରେ
ଏମିତି କି କେହି ଅଛି କହ ସାରା ଦୁନିଆରେ ?
ବୃଦ୍ଧାଶ୍ରମରେ ଛାଡ଼ି ଆସୁଥିବା
ପୁଅଟି ତାର ହଠାତ୍ ଝୁଣ୍ଟି ପଡ଼ିଲେ
ହୃଦୟ ତାର ଫାଟିଯାଏ
କାନ୍ଦି କାନ୍ଦି ଦୌଡ଼ି ଆସେ, ଆଉ ପଚାରେ
ତୋର କିଛି ହୋଇନି ତ ବାପା ?
ସେ ମାଆଟିଏ
ସେ ସାହାଟିଏ
ସେ ପୂର୍ଣ୍ଣଗଭା ନଈ
ସେ ହି ନାଉରୀ
ସେ ପୁଣ୍ୟ କଳ୍ପତରୁ
ସେ ମହାର୍ଘ୍ୟ ଈଶ୍ୱରୀ
ଯୁଗେ ଯୁଗେ ଯେଣୁ
ସେ ଚିର ବନ୍ଦନୀୟ
ସେ ଚିର ପୂଜନୀୟା ସଦାକାଳେ ।