ମହାଯାତ୍ରା
ମହାଯାତ୍ରା
ଜୀବନର ଶେଷ ଯାତ୍ରା ମହାଯାତ୍ରା
ଏହି ଆମ ଜନମର
ଜୀବ ପରମର ମିଳନ ବେଳା ସେ
ଶାନ୍ତି ମୁକ୍ତିର ପ୍ରହର l
ମହାଯାତ୍ରା ପଥେ ସର୍ବେ ଅଗ୍ରସର
କୀଟ ଠୁଁ ମାନବ ଯାଏଁ
କାହାର ତୁରନ୍ତ କାହାର ବିଳମ୍ବେ
ନିଶ୍ଚିତ ସେ ଆସିଥାଏ l
ଜୀବନର ସବୁ କାମନା ବାସନା
ସେଇଠାରେ ହୁଏ ଅନ୍ତ
ଆତ୍ମା ଉଡ଼ିଯାଏ କାହିଁ କେତେ ଦୂରେ
ଛାଡି ଶରୀରର କ୍ଷେତ୍ର l
ସେଇ ଯାତ୍ରା ପାଇଁ ଲୋଡ଼ା ହୁଏନାହିଁ
ସାଜ ସରଞ୍ଜାମ କିଛି
ଛଅ ଖଣ୍ଡ କାଠ ବାଉଁଶର ଶେଯ
ନିଏ ଆଦରରେ ବାଛି l
ପ୍ରିୟଜନଙ୍କର ଆଖିର ଲୋତକ
ପାରେନା ତା ବାଟ ରୋକି
ଥରେ ଚାଲିଗଲେ ଫେରିଚାହେଁ ନାହିଁ
ସତେଅବା ମୁକ୍ତ ପକ୍ଷୀ l
ପଞ୍ଚଭୂତେ ଗଢ଼ା ଶରୀର ନିଷ୍କ୍ରିୟ
ସ୍ପନ୍ଦନ ବିହୁନ ହୁଏ
ଆତ୍ମା ଯିବା ପରେ ଦେହ ଅବଶେଷ
ଜୁଇ ନିଆଁ ଖୋଜୁଥାଏ l
ସ୍ୱାଗତ କରିବା ସେ ମହାଯାତ୍ରାକୁ
ସର୍ବେ ଅତି ଆଗ୍ରହରେ
ପରମ ପୁରୁଷ ମହାପ୍ରଭୁଙ୍କର
ଅଙ୍ଗେ ମିଶିବା ଶାନ୍ତିରେ l
ତାଙ୍କଠୁଁ ଆରମ୍ଭ ଜୀବନର ଯାତ୍ରା
ତାଙ୍କରି ଚରଣେ ଶେଷ .
ଶରୀରଟି ଏକ ଜୀର୍ଣ୍ଣ ବସ୍ତ୍ର ପରି
ଆଶ୍ରା ଏକା ଜଗଦୀଶ ll