ନଷ୍ଟନାରୀ
ନଷ୍ଟନାରୀ
ହାତ ବଢେ଼ଇ ପ୍ରେମର ପାରିଜାତ ତୋଳିଲୁ
ଆଉ ପଙ୍କଜ ଲଭିଲୁ,
କିନ୍ତୁ ସମାଜର ନିନ୍ଦା, ଅପବାଦକୁ ଡ଼ରି
ତୋ ଅଂଶକୁ ପୋପାଡ଼ି଼ଦେଲୁ ?
କେଡେ଼ ନିଷ୍ଠୁର ସତେ
ତୁ ନଷ୍ଟନାରୀଟିଏ !
ହୃଦୟ ତୋର ଫାଟି ଗଲାନି କେମିତି ?
ହାତ ତୋ' ଉଠିଲା କେମିତି ?
ଛୁଆକୁ ଫିଙ୍ଗି ତୁ ଝାଡ଼ି ଝୁଡ଼ି ଚାଲିଲୁ
ସତୀତ୍ୱର ଟିକା ମଣ୍ଡନ କରି,
ପୁଣି ଆଉ କାହାର ସୁହାଗିନୀ ସାଜି
ରାତିର ଶଯ୍ୟାଶାୟିନୀ ହେବା ପାଇଁ ?
ତୁ ନଷ୍ଟନାରୀଟିଏ !
କେତେ ସୂକ୍ଷ୍ମ କେତେ ସୁକୋମଳ
ଫୁଲଠୁଁ ନରମ ତା' ଦେହ
ଛାଡ଼ି ଦେଲୁ ଶାର୍ଗୁଣା, କୁକୁରଙ୍କ ପାଶେ ?
କେମିତି ଦୂରେଇ ପାରିଲୁ
ତୋ ଦେହର ଉଷ୍ମତାରୁ ?
ତୋ ଅମୃତ ପୀୟୂସରୁ ?
ତୋ ମମତା ପଣତରୁ ?
ତୁ ପରା ମାଆଟିଏ ?
ତାର କୁଆଁ କୁଆଁ କାନ୍ଦ
ତରଳେଇ ପାରିଲାନି ତୋ ପଥର ହୃଦୟ ?
ମାଆ ନାମରେ ତୁ କଳଙ୍କିନୀଟିଏ
କାରଣ ତୁ ନଷ୍ଟନାରୀଟିଏ !
ତୁ ନଷ୍ଟନାରୀଟିଏ !