ମୁଁ କୃଷକ ପତ୍ନୀ
ମୁଁ କୃଷକ ପତ୍ନୀ
କାଳୀ ଅନ୍ଧାରରୁ ଉଠି ମୁଁ ଶଯ୍ୟାରୁ
ବଳଦେ ପେଇ ତୋରାଣି
ସ୍ୱାମୀଙ୍କୁ ପଖାଳ କଂସାଏ ବାଢ଼ଇ
କର୍ତ୍ତବ୍ୟର ମଞ୍ଜି ବୁଣି
ଯେଣୁ ମୁଁ କୃଷକ ପତ୍ନୀ
କେମିତି ଭୁଲିବି ମୋହର ଧରମ
କୁଳର ବେଉସା ଜାଣି ।
ଦ୍ୱିପହରରେ ହାତେ ଧରି ଚାଲେ
ବାଇଗଣ ପୋଡା ବଡି
ଶାଗଭଜା ଲୁଣ କଞ୍ଚାଲଙ୍କା ସହ
ପଖାଳ କଂସାଏ ବାଢ଼ି
ହିଡ଼ମୁଣ୍ଡରେ ପହଞ୍ଚି
ସ୍ୱାମୀଙ୍କୁ ଆଦରେ ବଳେଇ ଖୁଆଏ
କାନି-ପଣତରେ ବିଞ୍ଚି ।
ଫସଲ ଅମଳେ ଆବଶ୍ୟକବେଳେ
କ୍ଷେତକୁ ମୁଁ ଯାଏ ଧାଇଁ
କାମ ସ୍ୱାମୀଙ୍କର ମଣଇ ନିଜର
ହାତରେ ହାତ ମିଶାଇ
କ୍ଷେତ ମଣି କର୍ମ ଭୂଇଁ
ଜୀବନ ଜୀବିକା ଯୋଗାଡ଼ ପାଇଁ କି
ଲାଜେ ଘରେ ରହେ ନାହିଁ ।
ନୁହେଁ ମୁଁ ଅବଳା କିବା ଦୁରୁବଳା
କରମ ଜୀବନ ମିତ
ତାହାକୁ ସମଝି ତାହା ସହ ଯୁଝି
ଗାଏ ଜୀବନର ଗୀତ
ଯେଣୁ ମୁଁ କୃଷକ ପତ୍ନୀ
ନିଜେ ଖାଇପିଇ ଆନ ମୁଖେ ଦେଇ
ଗୌରବରେ ଥାଏ ଗୁଣୀ ।
କୃଷିପ୍ରଧାନ ମୋ ରାଇଜ ଓଡ଼ିଶା
ବାରମାସେ ତେର ପର୍ବ
ବୁଣାବୁଣି ଅବା ଅମଳକୁ ନେଇ
ପାଳନ ହୁଅଇ ସର୍ବ
ଅତି ହରଷିତ ମନେ
ପିଠାପଣା ଗଢ଼ି ବିଭୁ ପାଶେ ବାଢ଼ି
ତୋଷଇ ଆପଣା ଜନେ ।