ଆଷାଢ଼ ରାତି
ଆଷାଢ଼ ରାତି
ଏକେତ କୃଷ୍ଣପକ୍ଷ ଆଷାଢ଼ ରାତି,
କଳା ମେଘମାଳା ଘୋଟେ ଚାରିକତି ।
ଯାମିନୀ ଖୋଲଇ ଘନ କଳା କେଶ,
ଘନ ଅନ୍ଧକାର ଦିଶଇ ଆକାଶ ।
ବିଭାବରୀ ଯେହ୍ନେ ଯାଏ ବଢ଼ି ବଢ଼ି,
ଅନ୍ଧକାର ସେତେ ଆସେ ମାଡ଼ି ମାଡ଼ି ।
ଆଗକୁ ତିଳେ ନ ଦିଶେ ବାଟଘାଟ,
ଅତି ଭୟଙ୍କର ବିଜୁଳି ଝଟକ ।
ପ୍ରଚଣ୍ଡ ଗରଜଇ ଜଳଦ ମାଳା,
ଜିମ୍ବୁତ ମେଖଳା ସାଜଇ ଚପଳା ।
ମେଘର ପ୍ରେମରେ ବର୍ଷା ଭିଜିଯାଇ,
ବର୍ଷା ନାଚୁଥାଏ ଘୋ ଘୋ ହୋଇ ।
ପ୍ରେମର ପରଶେ ବେଙ୍ଗ ଗାଏ ଗୀତ,
ମେଘକୁ ବରଷା କରୁଛନ୍ତି ନାଚ ।
ନିରତେ ବରଷଇ ମୁଷଳ ଧାରା,
ବାସହରା ପକ୍ଷୀଙ୍କ ନାହିଁଟି ଚାରା ।
କେବଳ ଶୁଭଇ ବର୍ଷାର ତାଣ୍ଡବ,
ମିଶିଯାଏ ଝିଙ୍କାରୀ ର ଝିଁ, ଝିଁ ଶବ୍ଦ ।
ମେଘ ଆଢୁଆଳେ ତାରାଗଣ ରହି,
ମିଟି ମିଟି ହୋଇ ଥାନ୍ତି ବାଟ ଚାହିଁ ।
ଅଭିନୟ ପାଇଁ ହୋଇ ସଜବାଜ,
ଭାବନ୍ତି ସୁଯୋଗ ମିଳିବକି ଆଜ ।
ଅବିରତେ ମେଘ ବରଷାର ନୃତ୍ୟ,
ନୁହଁନ୍ତି କେହି କାହା ଠାରୁ ପରାସ୍ତ ।
ଏଘରୁ ସେଘର ନହୁଅଇ ଯାଇ,
ମୁଷଳ ଧାରାରେ ପାଣି ବର୍ଷୁ ଥାଇ ।
କ୍ଷଣକ ମଧ୍ୟରେ ଜଳମଗ୍ନ ହେବ,
ଲାଗେ ସତେ ଅବା ଘର ଭାସିଯିବ ।
ବର୍ଷାରେ ତିନ୍ତିଣ ଓଦା ଚାରିକତି,
ଦାଣ୍ଡପିଣ୍ଡା ନଈ ନାଳ ପାଣି ଭର୍ତ୍ତି ।
କୁକୁର ବିଚରା ନ ପାଅଇ ସ୍ଥାନ,
କାଣୀ ବିଲେଇ ର ମୂଷା ଠାରେ ମନ ।
ଚୁଲି ଠାରୁ କାଠ ସବୁ ଓଦା ହୋଇ,
ଗୃହିଣୀ ନପାରେ କରିତ ରୋଷେଇ ।
ଭୋକରେ ବାଳୁତ ଯାଇଅଛି ଶୋଇ,
ପାଣି ଛାଡିବାକୁ ରହିଛି ଅନାଇ ।
ପଡିଶା ଘରୁ ମୁଢ଼ି ମାଗି ଆଣିବ,
ପରିବାର ମୁହେଁ ଆହାର ଦେବ ।
ଚାଳୁ ପାଣି ପଡେ ଟୋପା ଟୋପା ହୋଇ,
ଶୋଇବାକୁ ଜାଗା କେଉଁଠି ବି ନାହିଁ ।
ନିର୍ଜନ କାନନେ ଯେହ୍ନେ ଏକ ଘର,
ଆଷାଢ଼ ରାତିରେ ଲାଗିଥାଏ ଡର ।
ଅନେକ ସୃତିକୁ ନେଇଛି ସାଉଁଟି,
ଆଷାଢ଼ ମାସର ଏହି କାଳ ରାତି ।