କେହି ନୁହେଁ ଏଠି ସାନ
କେହି ନୁହେଁ ଏଠି ସାନ
ସ୍ରଷ୍ଟାଙ୍କ ସୃଷ୍ଟିରେ ସମାନ ସକଳେ
କେହି ନୁହେଁ ଏଠି ସାନ
ବଡ଼ ବୋଲି କିଏ ଭାବିବା ବି ନୁହେଁ
ସର୍ବେ ଈଶ୍ବର ସନ୍ତାନ ।
ଦେହରେ ସବୁରି ବିରାଜିତ ହରି
ଆତ୍ମାରୂପୀ ଭଗବାନ
ସୁଖରେ ଦୁଃଖରେ ସନ୍ତାନ ପାଖରେ
ଠିଆ ହୋଇଥାନ୍ତି ଜାଣ ।
ପ୍ରକୃତିର କୋଳ ସଭିଙ୍କର ଥଳ
ସମ ରୂପେ ଅଧିକାର
ଝରଣା, ତଟିନୀ, ପାହାଡ଼, ବନାନୀ
ସିନ୍ଧୁ, ଧନ ଭୂଗର୍ଭର ।
ସମ ଭାବେ ସୂର୍ଯ୍ୟ ଚନ୍ଦ୍ରଙ୍କ କିରଣ
କରନ୍ତି ସଭିଏଁ ଲାଭ
ସମ ଭାବାପନ୍ନ ପ୍ରତିଟି ହୃଦୟ
ହେଲେ ସକଳର ଶୁଭ ।
ଜନମୁ ମରଣ ନିର୍ଭରଶୀଳ
ପରସ୍ପର ଚଳିବାରେ
ପ୍ରତି ପଦେପଦେ ହାତ ଧରାଧରି
ପ୍ରତ୍ୟକ୍ଷରେ ପରୋକ୍ଷରେ ।
ଖାଦ୍ୟ, ବାସଠାରୁ ଜୀବନ ଜୀବିକା
ଯେତେ ରହିଛି ମାଧ୍ୟମ
ଛାଡ଼ି ନ ପାରଇ କାହାକୁ ମଣିଷ
ନିଇତି ହୃଦୟଙ୍ଗମ ।
ଶ୍ରମିକ କାନ୍ଧରେ ଭରା ଦେଇ କେହି
ଚଢ଼େ ପ୍ରାଚୁର୍ଯ୍ୟ ଶିଖର
କେମିତି କହିବା ସିଏ ବଡ ବୋଲି
ଗୁରୁତ୍ବ ଶ୍ରମ ଦାନର ।
ଶ୍ରମିକ, କୃଷକ, ଶିକ୍ଷକ, ଲେଖକ
ଚିକିତ୍ସକ ବୈଜ୍ଞାନିକ
ଯେତେ'ଛନ୍ତି କର୍ମ କୁଶଳୀ ସଭିଏଁ
ପରସ୍ପର ସହାୟକ ।
କାହା ବିନା ଯେଣୁ କେ ଚଳି ନପାରେ
ପ୍ରତ୍ୟେକଙ୍କ ମୂଲ୍ୟବୋଧ
ସମାଜ ସଂସ୍କାର, ପ୍ରଗତି ପଥରେ
ଦୃଢ଼ ପରିକର ବଦ୍ଧ ।
କେମିତି କେ ହେବ ସାନଟିଏ ଏଠି
ବିଚାର କର ପଣ୍ଡିତେ
କେହି ସାନ ନୁହେଁ କେହି ବଡ଼ ନୁହେଁ
ଯୁଝୁଥାନ୍ତି ନିଜ ମତେ ।।