ଜୀବନର କିଛି ମୂଲ୍ୟ ନାହିଁ
ଜୀବନର କିଛି ମୂଲ୍ୟ ନାହିଁ
ଜୀବନଟା ପରା ପାଣିର ଫୋଟକା
ଏଇଲେ ଅଛି ଏଇଲେ ନାହିଁ
କ୍ଷୀଣ ସମୟର ଅବଧିରେ କିଆଁ
ଗରବ ଦମ୍ଭରେ ଥିବା ଜୀଇଁ ?
ଜଳିବାନି କିଆଁ ଦୀପଟିଏ ହୋଇ
ଆନର ମୁଖକୁ ଦେଖିବାକୁ
ଅନ୍ଧାର ଭିତରେ ରହୁଥିଲେ ମଧ୍ୟ
ମଣିବା ଭାଗ୍ୟବାନ ନିଜକୁ ।
ଆପଣାପଣରେ ମୋହି ଚଉପାଶ
ସକଳ ହୃଦୟେ ଘର ତୋଳି
ରହିବାକୁ କିଆଁ ହେବାରେ ଛାନିଆ
ସେ ଭାଇ ବନ୍ଧୁ କୁଟୁମ୍ବ ଭଳି ।
ଅପରକୁ ଖୁସି ବାଣ୍ଟୁଥିଲେ ପରା
ଅପାର ଆନନ୍ଦ ମିଳୁଥିବ
ଅଳପ ହେଲେ ବି ଜୀଇଁବାର ବେଳ
ଖାଲି ମହମହ ବାସୁଥିବ ।
ପଞ୍ଚଭୂତ ଦେହ ତହିଁରେ ବିଲୀନ
ଡେଣା ମେଲି ଆତ୍ମା ଉଡ଼ି ଯିବ
ମିଛ ଅହମିକା ଜଳିବ ଜୁଇରେ
କେବଳ ସୁକର୍ମ ରହିଥିବ ।
ମୁଁ ମୋର ଭାବ ଧରିଲେ ଜାବୋଡି
ନିମ୍ନଗାମୀ ହେବ ଆତ୍ମା ପଥ
ପାଖରେ ଥାଇ ବି ରହିବେ ଦୂରରେ
ତ୍ରାଣକର୍ତ୍ତା ପ୍ରଭୁ ଜଗନ୍ନାଥ ।
ବିଭୁ ଚେତନାରେ ରହି ଉଦ୍ବୁଦ୍ଧ
ରେ ବାଇଆ ମନ ଲାଗ କର୍ମେ
ଦେଖିବ ଜୀବନ ଉଠିବ ଉଜ୍ଜ୍ବଳି
ସାଧନାରେ ସିଦ୍ଧି ପ୍ରାପ୍ତ ଧର୍ମେ ।
ବିଶ୍ବାସ ଭରସା ସାଥେ ଆତ୍ମବଳ
ଦରକାର ପରା ଏଥିପାଇଁ
ତାକୁ ନହରାଇ ଉଜ୍ଜୀବିତ କରି
ଆଗକୁ ବଢ଼ ପାଦ ପକାଇ ।
ସରଳ ସୁଗମ ଲାଗିବ ଜୀବନ
ଅପସରି ଯିବେ ଷଡ଼ରିପୁ
ସ୍ବଚ୍ଛ ପାବନ ଚିତ୍ତଟିକୁ ଧରି
ଉଜ୍ଜ୍ବଳ ଦିଶିବ ତୁମ ବପୁ ।
କର୍ମ ହିଁ ଜୀବନ କର୍ମ ଭଗବାନ
ଗୀତା ଜ୍ଞାନ ଦିଅଇ ଚେତାଇ
ଭଗବାନ କୃଷ୍ଣ ଶ୍ରୀମୁଖ ନିଃସୃତ
ଅମୂଲ୍ୟ ବାଣୀ ଏ ଆମ ପାଇଁ ।
ଜୀବନର କିଛି ମୂଲ୍ୟ ନାହିଁ ବନ୍ଧୁ
ମିଛ ମରୀଚିକା ପଛେ ଧାଇଁ
କେଉଁ ପଥେ ଯିବ କଅଣ କରିବ
ଚେତନା ଜଗାଅ ସେଥିପାଇଁ ।
