ଭାରତବର୍ଷ
ଭାରତବର୍ଷ
ପୂଣ୍ୟ ଏଇ ମାଟି ମାତୃଭୂମି
ନାମ ତା' ଭାରତ ବର୍ଷ,
ସୁଜଳା ସୁଫଳା ଚିର ଶ୍ୟାମଳିମା
ଭରା ସେହି ଆମ ଦେଶ ।
କାଶ୍ମୀର ଯାହାର ଭୂସ୍ବର୍ଗ ସମାନ
କୁମାରିକା ଧୁଏ ପାଦ,
ହିମାଳୟ ଗିରି ଆକାଶକୁ ଛୁଏଁ
ଶୁଭଇ ଓଁକାର ଶବ୍ଦ ।
ମନ୍ଦିର ମାଳିନୀ ଦେବଭୂମି ନାମେ
ଯିଏ ବିଶ୍ୱେ ପରିଚିତା,
ଆଧ୍ୟାତ୍ମିକତାର ଚରମ ଉତ୍କର୍ଷେ
ସିଏ ଚିର ବିଭୂଷିତା ।
ଉଦାରତା ତା'ର ଆତ୍ମିକ ଭୂଷଣ
ଶାନ୍ତିର ବାରତା ବହେ,
ସମଗ୍ର ବିଶ୍ୱକୁ ଭାବେ ପରିବାର
ପ୍ରୀତିର ପରଶ ଦିଏ ।
ଯୁଗେ ଯୁଗେ ପରା ଆକର୍ଷି ଆସିଛି
ତା' ସୌନ୍ଦର୍ଯ୍ୟ କୀର୍ତ୍ତି ରାଜି,
ଯିଏ ବି ଆସିଛି ମମତା ପାଇଛି
ଯାଇଛି ଆନନ୍ଦେ ହଜି ।
କେତେ ଭାଷାଭାଷୀ ସଂସ୍କୃତି ବି ଭିନ୍ନ
ବନ୍ଧା କିନ୍ତୁ ଏକ ଡୋରେ,
ସେଇ ତ ବୈଶିଷ୍ଟ୍ୟ ଆମ ଏ ଦେଶର
ସାମୁହିକ ଆସ୍ଥା ଭରେ ।