ମୋ ଆଖିରୁ ନିଦ ନେଲ ଚୋରେଇ
ମୋ ଆଖିରୁ ନିଦ ନେଲ ଚୋରେଇ
ତୁମକୁ ଦେଖିଲା ପରଠାରୁ ପ୍ରିୟା
ପାରିନି ମନକୁ ଟିକେ ଫେରାଇ
ହୃଦୟ ମନକୁ ଆବୋରି ସର୍ବଦା
ମୋ ଆଖିର ନିଦ ନେଲ ଚୋରେଇ ।
ଚାତକ ପରି ମୁଁ ରହିଥାଏ ଚାହିଁ
କେତେବେଳେ ଦୂରଭାଷ ବାଜିବ
ତୁମ ମିଠାମିଠା କଥା ଦୁଇପଦ
ଭାସି ମୋ ପିଆସୀ କାନ ଶୁଣିବ ।
ତୁମେ ମୋ ସପନ ଜୀବର ଜୀବନ
ବିନିଦ୍ର ହେଲେ ବି ଯେତେ ରଜନୀ
ବାଧେ ନାହିଁ ମୋତେ ସତ କହୁଛି ମୁଁ
ପ୍ରେମମୟୀ ମୋର ହୃଦୟ ରାଣୀ ।
ଯେବେ ଡାକିଦିଅ ପାଖ ମନ୍ଦିରକୁ
ଅବା ନଈକୂଳ ଆମ୍ବତୋଟାକୁ
ବାତୁଳ ପରାୟ ଧାଇଁ ଯାଏ ମୁହିଁ
ଚାନ୍ଦମୁଖେ ଖୁସି ଗୋଟାଇବାକୁ ।
ନୁହେଁ ମୁଁ ଭ୍ରମର କେବଳ ତୁମର
ଭଲ ପାଇବାରେ ମନ ଆନନ୍ଦ
ଅନାଇ ରହିଛି କେଉଁଦିନ ଆସି
ଡେଇଁ ଯିବ ମୋର ଏରୁଣ୍ଡିବନ୍ଧ ।
ହୃଦୟ ଚୋରେଇ ନିଦକୁ ଚୋରେଇ
ସାଜିଲ ମୋ ପାଇଁ ବଡ଼ ଚୋରଣୀ
ହାତଗଣ୍ଠିରେ ମୁଁ ତୁମକୁ ବାନ୍ଧିବି
ଆବଦ୍ଧ କରିବ ବାହୁ ବନ୍ଧନୀ ।।