ମନରେ ତୁମେ ସ୍ବପରେ ତୁମେ
ମନରେ ତୁମେ ସ୍ବପରେ ତୁମେ
ମନ ଅଗଣାରେ ଯିଏ ବୁଣିଥିଲା
ପ୍ରୀତି ମୁରୁଜର ରଙ୍ଗ,
ତୁମେ ସେହି ପ୍ରିୟା ମୋ ସ୍ବପ୍ନ ନାୟିକା
ସାତ ଜନମର ସାଙ୍ଗ |
ଜୀବନ ସାଗରେ ତୁମେ ମୋର ଉର୍ମି
ନାଚ ସଦା ପ୍ରୀତି ଭରି,
ହୃଦୟ ମୋ ସିକ୍ତ ତୁମ ପରଶରେ
ମଧୁ ସତେ ଯାଏ ଝରି |
ତୁମେ ଶ୍ରାବଣର ବରଷା ଧାରା ଗୋ
ଭିଜାଇ ଦିଅ ମୋ ତନୁ,
ତୁମେ ଫଗୁଣର ରଙ୍ଗ ଅବିର ଯେ
ବୋଳିଦିଅ ପ୍ରୀତି ରେଣୁ |
ତୁମେ ବସନ୍ତର କୋଇଲିର କୁହୁ
ଆମ୍ବ ବଉଳର ବାସ,
ସମୀରଣେ ଭାସେ ପ୍ରୀତିର ମହକ
ମନ ଖୋଜେ ତୁମ ସ୍ପର୍ଶ |
ମନ ପଦ୍ମବନେ ତୁମେ ମୋ ପଦ୍ମିନୀ
ମୁଁ ତୁମ ଆକାଶେ ସୂର୍ଯ୍ୟ,
ମୋ କିରଣ ପାଇ ଫୁଟି ଆସ ଧିରେ
ଛାଡ଼ିଦେଇ ସବୁ ଲାଜ |
ତୁମେ ମୋର କଇଁ ମନ ସରସୀରେ
ଆକାଶକୁ ଥାଅ ଚାହିଁ,
ମୁଁ ତୁମର ଜହ୍ନ ଆସେ ଯେବେ ଉଇଁ
ଜୋଛନାରେ ଯାଅ ଶୋଇ |
ମୁଗ୍ଧ ହୃଦୟର ତୁମେ ଶୀତଳତା
କ୍ଲାନ୍ତ ତନୁର ଶକ୍ତି,
ଭରା ଆଷାଢ଼ର ଇନ୍ଦ୍ରଧନୁ ମୋ
ସାତରଙ୍ଗେ ଭରା ପ୍ରୀତି |
ତୁମେ ଶରତର କାଶତଣ୍ଡୀ ଫୁଲ
ମୁଁ ଯେ ତଟିନୀର ଧାରା,
ମୋ ଦେହେ ତୁମର ଛାଇ ପଡି ନାଚେ
ରୋମାଞ୍ଚିତ ପ୍ରୀତି ଭରା |
ମନରେ ତୁମେ ଗୋ ଆଶା ଦୀପଟିଏ
ଶିଖା ଚିର ପ୍ରଜ୍ଜଳିତ,
ସପନରେ ତୁମେ ରୂପରାଇଜର
ରାଜକନ୍ୟା ଏକ ସତ |