ଆନନ୍ଦ ଅଶ୍ରୁ
ଆନନ୍ଦ ଅଶ୍ରୁ
ସୁଖ ଦୁଃଖ ଦୁଇ ନିଇତି କୋଳେଇ
ମାନବ କରଇ ଗତି
ସୁଖରେ ବିଭୋର ଦୁଃଖରେ କାତର
ଅଶ୍ରୁ ସବୁଥିରେ ସାଥୀ
ଥିଲେ ଯନ୍ତ୍ରଣାସିକ୍ତ
ଆଶ୍ବାସନା ବାଣୀ ହୃଦୟକୁ କିଣି
ଆନନ୍ଦାଶ୍ରୁ ବିଗଳିତ
ହୁଏ ଅଶାନ୍ତ ହୃଦୟ ଶାନ୍ତ ।
ଦୁଃଖ ଜୀବନରେ ବଦଳେ ସୁଖରେ
ସେତେବେଳେ ଆନନ୍ଦାଶ୍ରୁ
ଟୋପା ଟୋପା କେତେ ଝରିପଡେ ସତେ
ଭାବନା ଅନ୍ତରାଳରୁ
ପୁଲକିତ ହୃଦୟ
ଶୁଷ୍କ ମନ-ତରୁ କଅଁଳି ସବୁଜ
ତାହା ସଞ୍ଜିବନୀ ପ୍ରାୟ
ଲାଗେ ହେଲା କି ଭାଗ୍ୟ ଉଦୟ ।
ଭକ୍ତ ଭଗବାନ ଯେବେ ହେଁ ମିଳନ
ପ୍ରତୀକ୍ଷା କରାଇ ଅନ୍ତ
ଭକତ ନେତ୍ରରୁ ଝରେ ଆନନ୍ଦାଶ୍ରୁ
ପ୍ରେମ ଗଦଗଦ ଚିତ୍ତ
ବିଭୋରିତ ପରାଣ
ନ ସ୍ଫୁରଇ ଭାଷ ଯା' ଥାଏ ମାନସ
କରିବାକୁ ତା' ବଖାଣ
ପ୍ରଭୁ ଦର୍ଶନେ ସତେ ଉଭାନ ।
ପ୍ରିୟ ପ୍ରତୀକ୍ଷିତ ସାଥୀ ଯେବେ ଭେଟ
ହୃଦୟଟି ହିଲ୍ଲୋଳିତ
ଅଭିମାନ ବନ୍ଧ ତୁଟାଇ ଆନନ୍ଦ
ବହେ ଅଶ୍ରୁ ଅବାରିତ
ସେହି ବିରହ ଝର
କରଇ ଶୀତଳ ତାପ ହୃଦୟର
ଦିଶଇ ମୁଖ ଉଜ୍ଜ୍ବଳ
ପ୍ରବୋଧନାରେ ବାନ୍ଧଇ ଥଳ ।
ସଂସାର ନାବରେ ଗତି କଲାବେଳେ
ନାନା ସମୟେ ଏମିତି
ବିପଦର ଝଡ଼ ହୋଇଗଲେ ଦୂର
ଖୁସି ଲହରୀରେ ମତି
ଭାସି ଭାବ କଲ୍ଲୋଳେ
ଉତ୍ସର୍ଗୀତ ପ୍ରାଣେ ପ୍ରଭୁ ଶ୍ରୀଚରଣେ
ହରଷରେ ଅଶ୍ରୁ ଢାଳେ
ଅନ୍ତର୍ଗତରେ ପ୍ରଶାନ୍ତି ତୋଳେ ।।