ଘର
ଘର
ସବୁ ମଣିଷର ମୁଣ୍ଡ ଗୁଞ୍ଜିବାକୁ
ଲୋଡା ହୁଏ ଘରଟିଏ ।
ଖାଇବା ପିନ୍ଧିବା ପଛକୁ ରହିବା
କଥାଟି ମନକୁ ଭାଏ ।
ଯେଝା ଘର ଯିଏ ଶକ୍ତି ମତେ ଗଢେ
ଝାଟିମାଟି ଅବା ପକ୍କା ।
ଘରେ ରହିଥିଲେ ରହେ ଅଚିନ୍ତାରେ
ମନରେ ନଥାଏ ଦକା ।
ସାରା ଦିନଟାର କାମ ହେଲେ ଶେଷ
ମିଳେ ଟିକେ ଅବସର ।
ଖାଇ ପିଇ ଟିକେ ନିଶ୍ଚିନ୍ତେ ଶୋଇବ
ଯଦି ଥିବ ନିଜ ଘର ।
ଘର ହୁଏ ସଦା ବୈକୁଣ୍ଠ ସମାନ
ପରସ୍ପର ଥିଲେ ସ୍ନେହ ।
ଯୌଥ ପରିବାର ହେଲେ ହେଉ ପଛେ
ସଭିଙ୍କ ବଢେ ଉତ୍ସାହ ।
ପାଶ୍ଚାତ୍ଯ ପ୍ରଭାବେ ଏ ଦେଶରେ ଏବେ
ସ୍ବଳ୍ପ ଯୌଥ ପରିବାର ।
ରହିଛନ୍ତି ବେଶୀ ନିଜ ନିଜପାଇଁ
ଗଢ଼ିଛନ୍ତି ଘରଦ୍ବାର ।
ଯେଉଁ ଘରେ ଦ୍ୱିଜ ଅତିଥି ପୂଜନ
ହେଉଥାଏ ନିତି ନିତି ।
ବିନା ଆତିଥ୍ଯରେ ଯେଉଁ ଘରୁ କେବେ
ଅତିଥି ଫେରି ନାହାନ୍ତି ।
ଅନ୍ନଦାନ ହୁଏ ଯେଉଁ ଘରେ ନିତି
ସାଧୁସଙ୍ଗ ହରିକଥା ।
ଧନ୍ୟବାଦ ଦେବା ଆମେ ସେ ଗୃହୀକୁ
ଧନ୍ୟ ତା'ର ପିତାମାତା ।
ଶ୍ମଶାନ ସମାନ ଅଟେ ସେହି ଘର
ହରିକଥା ଯହିଁ ନାହିଁ ।
ଶ୍ରୀହରିଙ୍କ ପୂଜା ନଥିବା ଗୃହର
ଅନ୍ନଜଳ ନଯୋଗାଇ ।
ନିଜ ନିଜ ଘର ଗଢିବା ଯତନେ
ନାହିଁ ଯା'ର ଘରଦ୍ବାର ।
ସାହାଯ୍ୟର ହାତ ବଢ଼ାଇବା ତାକୁ
ଗଢିବାକୁ ତା'ର ଘର ।