ଶୀତରାତି
ଶୀତରାତି
ସମୟ ବଦଳେ କାଳ ତ ବଦଳେ
ବଦଳେ ପକୃତି ଚକ୍ର
ଭିନ୍ନ ଭିନ୍ନ କାଳେ ବିଭିନ୍ନ ରୂପରେ
ଦଇବର କାଳଚକ୍ର ।
ରୌଦ୍ର ତାପ ଗ୍ରୀଷ୍ମେ ଅସହ୍ୟ କଷଣେ
ବର୍ଷକାଳେ ବାରିଧାରା
ଶୀତ ଋତୁ ଆସେ ଶୀତଳ ପରଶେ
ବହେ ଥଣ୍ଡା ବାଆ ପରା ।
ଶୀତଳ ପବନେ ଅସ୍ତବ୍ୟସ୍ତ ଜନେ
ପିନ୍ଧିଥାନ୍ତି ଶୀତବସ୍ତ୍ର
ହେଲେ ଅନୁକୂଳ ଏହି ବେଳକାଳ
ବଣଭୋଜି ପାଇଁ ବ୍ୟସ୍ତ ।
ଶୀତୁଆ ଯାମିନି ଶିଶିର ସଙ୍ଗିନୀ
ଟିପି ଟିପି ବିନ୍ଦୁ ଝରେ
ଘାସ ଗାଲିଚାରେ ଶିଶିର ବିନ୍ଦୁରେ
ମୁକ୍ତା ପ୍ରାୟେ ତାହା ଝଳେ ।
ଚାନ୍ଦିନୀ ଜୋଛନା କରେ ଆନମନା
ଶିଶିର ବିନ୍ଦୁରେ ପଡି
ଟଳ ମଳ ଭରେ ଆଖିର ପରଳେ
ସତେ ମୁକ୍ତା ପଡେ ଝଡ଼ି ।
କୁହୁଡି ବେଷ୍ଟନୀ ଗ୍ରାସେ ଏ ମେଦିନୀ
ଦୃଷ୍ଟିପଥ ଅନ୍ତରାୟ
ଏକା ଅଧିଶ୍ୱର ସତେ ଏ ବିଶ୍ୱର
ଚତୁର୍ଦିଗ ଶୂନ୍ୟପ୍ରାୟ ।
ଶୂନଶାନ ସ୍ଥିତି ଏହି ଶୀତ ରାତି
ଶୀତର ପ୍ରକୋପ ଭାରି
ଜୀବଜନ୍ତୁ ସର୍ବେ ଉଷ୍ମ ଅନୁଭବେ
ଖୋଜନ୍ତି ଆଶ୍ରୟ ସ୍ଥଳୀ ।
ରାତ୍ରି ସହଚରୀ କେତେ ଫୁଲ କଢି
ଶୀତ ରାତ୍ରି ତା ଆୟୁଷ
କେତେବେଳେ ଫୁଟି ଝରିଯାଏ ସେଟି
ବୁଝିବା ଗହନ ଚାଷ ।
ଶିତେ ଥରୁଥାଏ ବୁଲା ଜୀବଟିଏ
ଉଷୁମ ଆଶ୍ରୟ ଖୋଜେ
ବିନା ଆଶ୍ରୟରେ ଅବା ବୃକ୍ଷ ମୂଳେ
ଆଶ୍ରୟେ କାକର ଭିଜେ ।
ନିର୍ମଳ ଆକାଶ ଜଳବାୟୁ ଶୁଷ୍କ
ସ୍ୱଚ୍ଛତାର ପରିବେଶ
ଶୁଭ୍ର ଚନ୍ଦ୍ରତାପ ଶୋଭଇ ଏ ଆପ
ବିଚରଣେ ମନ ତୋଷ ।
