STORYMIRROR

Dharitri Das

Children

3  

Dharitri Das

Children

ଶୀତ

ଶୀତ

1 min
206

ପୌଷ ମାଘ ଯେ ଅଟଇ ଦୁଇ ମାସ

ଶୀତ ଋତୁଟି ହୁଅଇ ପରକାଶ।

ସୁସୁ ବହିଥାଏ ଉତ୍ତରା ପବନ

ଶୀତରେ ଥରଇ ପ୍ରାଣୀର ଜୀଵନ।

ମଣିଷ ଖୋଜେ କନ୍ଥା କମ୍ବଳ ମାନ

ପଶୁପକ୍ଷୀ ଖୋଜନ୍ତି ଉଷୁମ ସ୍ଥାନ।

ଲଗାଇ ଦେଇ ନିଆଁ ଜେଜେ ଆମର

ପୁଆଁଇ ଉଷୁମ କରନ୍ତି ଶରୀର।

ପରଦେଶୀ ପକ୍ଷୀ ହୋଇ ଦଳଦଳ

ଚିଲିକା ଜଳେ ଭାସନ୍ତି ମାଳ ମାଳ।

ଗେଣ୍ଡୁ ସୋରିଷ ଫୁଲ ନୁହଁଇ ଗଣି

ହଳଦୀ ପାଟ ପିନ୍ଧେ ଧରଣୀ ରାଣୀ।

ସହିଯାଏ ସେତ ଶୀତର ଲହରୀ

ରବି ଫସଲ ହରଡ଼ କୋଳଥ ବିରି।

ଚାଳପରେ ମାଡଇ ଶିମ୍ବର ଲଟା

ଆନନ୍ଦ ଦିଏ ଚାଷୀର ଧାନ କଟା।

ଖଳାରେ ଥୋଇ ସେ ଗଦା ଗଦା ଧାନ

ଲେଖିଦିଏ ତହିଁ ଲକ୍ଷ୍ମୀପାଦ ଚିହ୍ନ।

ଧୀରେ ଧୀରେ ବହେ ଶୀତଳ ସମୀର

ପରିବେଶ ଆମ ଦିଶଇ ସୁନ୍ଦର।

ଆନନ୍ଦ ମୁଖରିତ ସେ ଚାଷୀକୁଳ

ଅମଳ କରନ୍ତି ପରିବା ସକଳ।

ସାଥୀ ହୋଇ ଧନୁ ମକର ସଂକ୍ରାନ୍ତି

ଅଗ୍ନ୍ୟୁତ୍ସଵ ସରସ୍ୱତୀଙ୍କୁ ପୂଜନ୍ତି।

ଦିବସ ସାନ ରଜନୀ ହୁଏ ବଡ଼

ପ୍ରଭାତେ ଦିଶେ ଶିଶିର ବିନ୍ଦୁଙ୍କ ଭିଡ଼।

ବଡ଼ ଆନନ୍ଦ ଦାୟକ ଶୀତ ଋତୁ

ସଂକ୍ରାମକ ରୋଗ ନଥାଏ ଯେହେତୁ।

ତେଣୁ ଭାଇ ଶୀତ କଷ୍ଟକୁ ଭୁଲିବା

ଆନନ୍ଦେ ତାକୁ ଉପଭୋଗ କରିବା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children