ଶୀତ
ଶୀତ
ଭାନୁଜୀ ରାଓ
ଏଥର ଆସିଚି କାଳ ପରିପୂର୍ଣ୍ଣ ଜରା ଓ ମୃତ୍ୟୁର
ଏଥର ଆସିଚି ଋତୁ ଲୋଳଚର୍ମା ବୁଢ଼ୀମାନଙ୍କର
କତରା କାଖେଇ କୋଳେ, ଇଷତ୍ ଉଷ୍ଣତା ପାଇଁ
ଉହ୍ମେଇରେ ସ୍ବରଗ ଖୋଜିବା ।
ପବନ ପନିକି ଧରି କେଳଉଛି ରାତିର ଦେହକୁ,
ଏ ବର୍ଷ ବୁଢ଼ା ଯିବେ ଚାଲି ଅପର ପୁରକୁ,
ପାକୁ ପାକୁ ପାଟି କରି ସେ ହିସାବ ସେମାନେ କରନ୍ତି,
ଆମ ଗାଁର ବୁଢ଼ାକୁଳ, ଦନ୍ତହୀନ ମାଢ଼ି ଖାଲି ହଲେ,
ପାହାଡ଼ର ଶିଖ ପରି ଦୁଇପଟେ ଜାଗରିତ ହନୁ।
ଏ ବର୍ଷ ଭାରି ଶୀତ
ଛପି ଛପି ଶୀତ ଋତୁ କେତେବେଳେ ପଶିଛି ଗାଁଆରେ !
ନିଶ୍ଚଳ ଆମ୍ବ ତୋଟା, ଖରାର ଉଷୁମ ଟାଣେ
ଡାଳ ଅଗେ ଘୁମୁରି କପୋତ ।
ନଈ ଆଜି କାଲି ବାଲି,
ଦିଗ୍ବଳୟ ଢାଙ୍କିଛି କୁହେଳି,
ଦୂରର ପାହାଡ଼ ସବୁ ଧୂସର ସ୍ବପନ ଭଳି
କୁହୁଡ଼ିରେ ମ୍ଳାନ ।
ବେଳଗତ ହେଲେ ପୁଣି ଘୋଟିଆସେ ପାଣ୍ଡୁର ରଜନୀ,
ସୂର୍ଯ୍ୟଟା ମରିଯାଏ ଝଟ୍ କରି, ନିଜ ରକ୍ତେ ଖେଳୁ ଖେଳୁ ହୋରି,
ନିଷ୍ଠୁର ବ୍ୟାଧ ପରି ଲୁଚି ରାତିର ଉହାଡ଼େ,
ଶୀତ ଆସେ ଦୁର୍ନିବାର ଅନ୍ଧାରର ଦେହରେ ବିହରି ।
ସେ ଆସିଚି ଦେଖିବାକୁ ଜରତୀଙ୍କ ଏ ଯେଉଁ ଯନ୍ତ୍ରଣା
ଏଥର ଆସିଚି ଶୀତ-ମାସର ଏ ଅସହ୍ୟ ତୁହିନ
ଏଥର ଆସିଚି ଦିନ ନିର୍ମଳ ଅବକ୍ଷୟତାର
ଏଥର ଆସିଚି ରାତି କରିବାକୁ ଘୋର ଉତ୍ପୀଡ଼ନ ।
ସମାପ୍ତ