ଶୀତ ସକାଳ
ଶୀତ ସକାଳ
ଅଳସ ଆଖିରେ କଳସେ ନିଦ ମୋ
ପାହାନ୍ତି ପ୍ରହର ବେଳ ,
ଝରକା ସେପାଖୁ ହାତ ଠାରି ଡାକେ
ପହିଲି ଶୀତ ସକାଳ ।
ଚାହିଁଲି ବାହାରେ ବସି ଥିଲେ ଥୋଡ଼େ
ସୂରୂଜ କୁ ମୁହଁ କରି ,
ପିଠି କନା କାର ପେଟକୁ ପାଏନି
ଗୀତ ଗାଏ ଥରି ଥରି ।
ଅଳିଆ ଗୋଟେଇ ଜାଳୁ ଥାଏ କିଏ
ନିଆଁ ପୁଏଇଁବା ପାଇଁ ,
ଥିଲାବାଲା ଘର ପହଡ଼ ପଡ଼ିଛି
ନାକ କୁ ରେଜେଇ ନେଇ ।
କୁକୁର ଛୁଆଟା କାଙ୍କୁରି ଶୋଇଛି
ପେଟ ତଳେ ମୁହଁ ଯାକି ,
ଫୁଙ୍ଗୁଳା ଫକୀର ଶୀତ କରେ ପାର
ବିଡ଼ି ଧୂଆଁ ଢୋକି ଢୋକି ।
ନୂଆ ଭୁଆସୁଣୀ ସଜ ସ୍ନାନ ସାରି
ଫେରୁ ଥାଏ ଥରି ଥରି ,
ଦେଖି ହାଇ ମାରେ ଅଳସୀ ଅନୂଢ଼ା
ହସୁ ଥାଏ କିରି କିରି ।
ନେତି ବୋଉ ତେଣେ ବାସି କାମ କରି
ହାତ ତା କାଲୁଆ ମାରେ ,
କାଲୁଣି ଶାଶୁ ତା ଚିତ୍କାର କରୁଛି
ଗାଲୁଆ ଶ୍ବଶୁର ଡରେ ।
ନାଲି ଚା' ଢୋକେ ତଣ୍ଟି ଓଦା କରି
ଧାଏଁ ଧାନ କ୍ଷେତ ଧାରେ ,
ବରଷକ ଦାନା ଯୋଗାଡ଼ କରିବ
ଶୀତକୁ କିଏ ପଚାରେ ?
କଅଁଳ ଖରା ତ ସହଳ ଧାଉଁଛି
ସଜ ମାଆ ଅଗଣାରେ ,
କଅଁଳା ଛୁଆକୁ ତେଲ ମାଖି ଦେଇ
ପଣତେ ଲୁଚାଇ ଧରେ ।
କାନ୍ଧ ଗାମୁଛା କେ ଚାଦର କରିଛି
ଅଖାରେ ସିଇଁଛି କନ୍ଥା ,
ଏମିତି ଏମିତି ଶୀତର ସକାଳ
ଭାବୀ ଅଭାବୀ ର ଗାଥା ।
