STORYMIRROR

Chinmaya Kumar Nayak

Abstract

4  

Chinmaya Kumar Nayak

Abstract

ଶୀତ ରାତି ଓ ଅନ୍ଧାର

ଶୀତ ରାତି ଓ ଅନ୍ଧାର

1 min
242

ରାଜପଥ ପରେ ଅଟ୍ଟହାସ କରେ

ଅନ୍ଧାର, ବଢିଲେ ରାତି,

ଶୀତେ ଥର ଥର ଦେହ ଖୋଜି ବସେ

ବିଛଣା ଉପରେ ତାତି।


ଅନ୍ଧାର ଭୟରେ କବାଟକୁ କିଳି

ଲୁଚି ଶୋଇଯାଏ ନିଦ,

ସପନ ବି ଭାରି ଖୁଜୁବୁଜୁ ହୁଏ

ଶେଜ ସାଥେ କରି ବାଦ। 


ଅନ୍ଧାରରେ ଜୁଡୁବୁଡୁ ହୋଇ ରାତି

ଧୂଳିରୁ ଆକାଶ ଯାଏଁ

ପ୍ରସାରିତ ହୁଏ ଚିତ୍ତରୁ ଚେତନା

ସଞ୍ଜରୁ ସକାଳ ଯାଏଁ। 


କମ୍ବଳ ଭିତରେ ଜଳୁଥାଏ ନିତି

ଦିବସ ଯାକର କ୍ଳାନ୍ତି,

ଆଣ୍ଠୁ ଭାଙ୍ଗି ଦେହ ସଙ୍କୁଚିତ ହୁଏ

ସେ ନିଦରେ ଭାରି ଶାନ୍ତି। 


ମଝିରେ ମଝିରେ ଉଲୁକର ରାଵ

ରାତିକୁ ଚିହ୍ନାଇ ଦିଏ

ଅଦୁର ରାସ୍ତାରେ ଶ୍ବାନଙ୍କ ଭିତରେ

ଭାଗବଣ୍ଟା ଚାଲିଥାଏ। 


ତୀବ୍ର ଗତିରେ କେହି ମଦମତ୍ତ

ଗାଡ଼ିକୁ ଛୁଟାଇ ଦିଏ,

ଅଚାନକ କାହା ସମ୍ମୁଖ ଆଲୋକ

ଝରକାକୁ ଛୁଇଁ ଯାଏ। 


ଜହ୍ନ ତାରା କାହିଁ କିଏ ବା ଦେଖିବ

କ୍ଳାନ୍ତେ ନମିତ ଆଖିରେ,

ସପନରେ କେହି ନିଜ ଜହ୍ନ ଦେଖେ

ପଲକ ବୁଝା ଛାଇରେ। 


ଅନ୍ଧାର ଚମକେ ଚିକମିକ ପିନ୍ଧି

ରତ୍ନ ଜଡ଼ିତ ପାଟ,

ଆଲୋକ ବି ଲାଜେ ଲୁଚେ ଛାଇ ତଳେ

ସମ୍ପି ଦେଇ ଜିତାପଟ। 


କିଛି କ୍ଷଣ ରହି ନିରେଖି ଦେଖିଲେ

ଅନ୍ଧାରର ଫିଟେ ଦ୍ୱାର,

ଝାପ୍ସା ହେଉ ପଛେ ଦିଶିଯାଏ କିନ୍ତୁ

ଦୃଶ୍ୟ ଛାଇ ସେପାଖର। 


ଏମିତି ରାତିର ତାତି ଦିଏ ଜାଳି

କାମନାର ଅଭିସାର,

କେଉଁଠି ପୁଣ୍ୟର ତୀର୍ଥଟିଏ ଜନ୍ମେ

କେଉଁଠି ପାପର ଝଡ଼। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract