ଶୀତ ରାଣୀ
ଶୀତ ରାଣୀ
ପୌଷ ମାଘ ମାସ ହେଲେ ପ୍ରବେଶ
ଶୀତ ଋତୁ ଧରା କରଇ ଗ୍ରାସ ।
ଶୀତଳ ପବନ ଆସଇ ଧରି
ଜାଡରେ ଦେହଟା ଯାଇଛି ଥରି ।
କୁହୁଡି ଘୋଟଇ ଚତୁର ଦିଗେ
ବାରିହୁଏ ନାହିଁ ଯାଆନ୍ତି ଆଗେ ।
କାକର ବରଷେ ଯେସନେ ମେଘ
ଧବଳ ବସ୍ତ୍ରରେ ଆଚ୍ଛେଦ ଦିଗ ।
କମାଇ ଦିଏ ସେ ସୂର୍ଯ୍ୟ ପ୍ରକୋପ
ଜଣା ପଡ଼େନାହିଁ ଖରାର ଧୂପ ।
ସୂରଜ କିରଣ ପତ୍ରରେ ଆଣି
ହୀରାର ଝଲକ କାକର ପାଣି ।
ଦିନ ଚାଲିଯାଏ ଭାରି ଝଅଟ
ବଡ ରାତିଟାରେ ବହୁତ ହଟ ।
କନ୍ଥା କମ୍ବଳରେ ବିତଇ ରାତି
ସେଜ ଛାଡ଼ିବାକୁ ସକାଳେ ଭୀତି ।
ଲାଗେ ଅଳସୁଆ ଭାରି ମନରେ
ନିଦ ଛାଡେ ନାହିଁ ଆସୁ ବାହାରେ ।
ନିଆଁ ପୁଉଁଥାଉ ବାଉଁଶ ବଣେ
ଗୀତ ଗାଉଥାଉ ଜଣକୁ ଜଣେ ।
ସୁବର୍ଣ୍ଣ ଲହରୀ ମାରେ ଗହୀର
ଶୀତ ରାଣୀ ଭରେ ଲକ୍ଷ୍ମୀ ଭଣ୍ଡାର ।
କ୍ଷେତ ଭରିଥାଏ ଧାନ କେଣ୍ଡାରେ
ସୋରିଷ ଫୁଲଟା ନାଚେ ଭ୍ରମରେ ।
ଯୂଈ ଜାଇ ହେନା ଚମ୍ପା ମନ୍ଦାର
ଶେଫାଳି ଡାଲିଆ ସଦା ବାହାର ।
ଦେଇଛି ଆନନ୍ଦ ସଭିଙ୍କ ମନେ
ଶୀତର ପ୍ରକୋପ ଭୁଲିଛୁ କ୍ଷଣେ ।
ଧନ୍ୟ ଶୀତ ରାଣୀ ବିଦାୟ ବେଳେ
ବସନ୍ତ ହସିଛି ଧରିତ୍ରୀ କୋଳେ ।
ଶୀତ ଋତୁ ନୁହେଁ କେବେ ଅହିତ
ଧରିତ୍ରୀ ସ୍ଵାସ୍ଥରେ ଆଣେ ଉନ୍ନତ ।
