ଶୀତ ପାଇଁ ଗୀତ
ଶୀତ ପାଇଁ ଗୀତ
ସ୍ବାଗତ କରୁଛି ଶୀତ ଆଜି ମୁଁ ତୁମକୁ
ହେମନ୍ତ ତ ପରାହତ ଆଜି।
ହେ ନବୀନ ଆସ ତୁମେ ବରଷକେ ଥରେ
ନିତ୍ୟ ତୁମ ଭବ ରୂପରାଜି ।
ପ୍ରଗାଢ ଆଲିଙ୍ଗନରେ ଆଲିଙ୍ଗିତ କରି
ଧରାରେ ଖେଳାଇ ଅଛ ଅମୃତର ଢେଉ
ତୁମ ସ୍ପର୍ଶ ଅତୀବ ଶୀତଳ
ଆମେ ସବୁ ଆଚ୍ଛାଦିତ ହେଉ ।
ତୁମ ନିବିଡ ପରଶ ହୁଅଇ ଅସହ୍ୟ
ମୋ କାଳିଆ ଜଗତର ନାଥ
ଘୋଡଲାଗି ବେଶ ସେ ହୁଅନ୍ତି
ନିଜ ଭାଇ ଭଉଣୀ ସହିତ ।
ଗରିବ ବାପୁଡାଟିଏ ନ ପାଇ କପଡା
ସତେ କେତେ ନିଉଛାଳି ହୁଏ
କିପରି ପାଇବ ତ୍ରାହି କୋପରୁ ତୁମର
ତୁମ କୋପ ଅସହଣି ହୁଏ ।
କୁଟା ପତ୍ର କାଠ ଅବା ଜାଳି
ଚେଷ୍ଟିତ ସେ କାଟିନେବ ଦିନ
ଦିନେ ତୁମେ ଅପସରି ଯିବ
ଚାଲିଗଲେ ଷାଠିଏଟା ଦିନ।
ଆନନ୍ଦର ପସରାରେ ଭରା
ତୁମ ଆଗମନେ ହସେ ଧରା
ଋତୁରାଜ ଆଗମନୀ ବାର୍ତ୍ତା
ଆଣିଛକି ତୁମେ ହୋଇ ତ୍ୱରା।
ପରବର ସମ୍ଭାର ଆଣିଛ
ତୁମେ ତୁମ ସଙ୍ଗତରେ ବହି
ଅମାବାସ୍ୟା ବକୁଳଲାଗିର
ଶାମ୍ବ ଦଶମୀର ପର୍ବ ନେଇ।
ନବାଙ୍କ ବେଢା ଆଉ ମକର
ସଂକ୍ରାନ୍ତିର ଦେବ ପୁଷ୍ୟ ରାଜାଭିଷେକର
ସଙ୍କଟ ଚତୁର୍ଥୀ ଷଟ୍ ତିଳା ଏକାଦଶୀର
ଶ୍ରୀପଞ୍ଚମୀ ବସନ୍ତୋତ୍ସବର ।
ରଥକାଠ ଅନୁକୂଳ ଶ୍ରୀପଞ୍ଚମୀର
ମାଘମାସ ସପ୍ତମୀ ତିଥିର
ଚନ୍ଦ୍ରଭାଗା ବୁଡ ତଥା ମେଳା
ଖଣ୍ଡଗିରି ଶିଖରୀ ଶିଖର।
ଭୀଷ୍ମାଷ୍ଟମୀ ବ୍ରତ ଉପଚାର
ଅଇଘରା ପୋଡି ଗ୍ରାମେ ଗ୍ରାମେ
ଉତ୍କଳର ଅଗ୍ନିଉତ୍ସବ ମାଘ ପୂର୍ଣ୍ଣମୀର
ଯୋରନ୍ଦାର ମେଳା ତଥା
ଗଜ ଉଦ୍ଧାରଣ ବେଶ ଜଗନ୍ନାଥଙ୍କର ।
ଧନଧାନ୍ୟ ରଖିବା ପାଇଁକି
ଚାଷୀ ଭାଇ କରଇ ଯତନ
ଫଳ ପୁଷ୍ପ ନବ କିଶଳୟେ
ଶୀତ ତୁମ ଶୁଭ ଆଗମନ।
ପିକ କୁହୁ କୁହୁ ତାନ
ଗାଏ ତବ ସ୍ବାଗତିକା ଗୀତି
ପକ୍ଷୀଙ୍କର କଳରବ ସ୍ବନ
ବନ୍ଦେ ସତେ କି ଅବା ଭାରତୀ।
ମହା ଶିକ୍ଷା ଦେଇଛ ସଭିଙ୍କୁ
ସମ ରହ ଶୀତ ଉଷ୍ଣେ ସଦା
ଗ୍ରୀଷ୍ମ ବର୍ଷା ଶୀତ କ୍ରମେ ଆସେ
ସଭିଏଁ ତ ହୁଅନ୍ତି ବରଦା ।
ବିନ୍ଧାଣୀ ଯେ ତୁମକୁ ଗଢିଛି
ସିଏବି ତ ସଭିଙ୍କୁ ଗଢିଛି
ତାଙ୍କ ପଦେ ରହୁ ମୋର ଲୟ
ଏ ବିନତି ତାଙ୍କୁ ମୁଁ କରୁଛି ।
