STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

କେନ୍ଦରା ଗୀତ

କେନ୍ଦରା ଗୀତ

2 mins
243



କାର୍ତ୍ତୀକ ମାସଟି ଭାଇ ଅତି ପୁଣ୍ୟମୟ

କେନ୍ଦରା ବଜାଇ ଗୀତଗାଏ ନାଥପୁଅ l


ଶିବଶମ୍ଭୁ ଇଷ୍ଟ ଆମ୍ଭ ଶ୍ରୀଗୋରେଖ ଦୀକ୍ଷା

କେନ୍ଦରା ବଜାଇ ଆମ୍ଭେ କରୁଅଛୁ ଭିକ୍ଷା l


ଟୀକା ଗୋବିନ୍ଦ ଚନ୍ଦ୍ରର କରୁଣ କାହାଣୀ

ସତ୍ୟସନ୍ଧ ହରିଶ୍ଚନ୍ଦ୍ର କାନ୍ଦ ଶୈବ୍ୟାରାଣୀ l


କପିଳା, ବଉଳା ଗାଇ ଅପୂର୍ଵ ଆଖ୍ୟାନ

ମହିମା ଗାଇ ବୁଲୁଛୁ ସତ୍ୟ,ଧର୍ମ,ଦାନ l


ଆଜି ଗାଉ ଅଛୁ ମାଆ ଅପୂର୍ବ କାହାଣୀ

କେଏଁକେଏଁ କେନ୍ଦରା କୀର୍ତ୍ତନ ହରିବାଣୀ l


ଅଯୋଧ୍ୟା ନବରେ ଥିଲେ ଦଶରଥ ରାଜା

ଅତି ସୁଲକ୍ଷଣୀ ତାଙ୍କ ତିନୋଟି ଭାରିଜା l


କୋଉଶଲ୍ୟା,କଇକେଇ,ସୁମିତିରା ଦେବୀ

ଆନନ୍ଦେ କାଟନ୍ତି କାଳ ରାଜା ପାଦ ସେଵି l


କାଳେ ହେଲେ ଦଶରଥ ଚାରି ପୁତ୍ର ପ୍ରାପ୍ତ

ଶ୍ରୀରାମ, ଲକ୍ଷ୍ମଣ, ଶତ୍ରୁଘନ, ଶ୍ରୀଭରତ l


ବାର୍ଦ୍ଧକ୍ୟରେ ରାଜା ଦଶରଥ ଚିନ୍ତା କଲେ

ରାମେ ଦେଇ ରାଜଭାର ବିଶ୍ରାମିବି ଭଲେ l


ଏମନ୍ତେ ବିଚାରି ଆୟୋଜନ କଲେ ରାଜା

ରାମହେବେ ରାଜା ଅବଧରେ ବାଜେ ବାଜା l


ଆହାଃ, କି ବିଧାନ ଭାଇ ଲେଖିଥିଲା ବିହି

ଦଶରଥ ବୁଢାକୁ ତା ଭାରିଜା କୈକେୟୀ l


ମନ୍ଥରା ବୁଦ୍ଧିରେ, ଦେଲେ ବର ଦୁଇ ମାଗି

ନଦେଲେ ରାଜନ ନିଶ୍ଚେ ଜୀବନ ହାରିବି l


ବୁଝାଇ ଥକିଲେ ରାଣୀ କିଛି ନ ଶୁଣିଲେ

ପତ୍ନୀବଶ ରାଜା ତହୁଁ ହାଆର ମାନିଲେ l


ପ୍ରଥମ ବରେ ଶ୍ରୀ ରାମ ଯିବେ ବନ ବାସ

ବଣରେ କାଟିବେ ଯାଇ ଚୋଉଦ ବରଷ l


ଦ୍ୱିତୀୟବରରେ ମୋ ଭରତ ରାଜା ହେବ

ଅଯୋଧ୍ୟା ଗାଦିରେ ରାଜ ପଣ ଚଳାଇବ l


ପିତୃ ସତ୍ୟ ଯହୁଁ ପ୍ରଭୁ ଶ୍ରୀ ରାମ ଶୁଣିଲେ

ଚିନ୍ତା କରନାହିଁ ତହୁଁ ପିତାଙ୍କୁ ବୋଇଲେ l


ଭାଇ ଲକ୍ଷ୍ମଣ ସଙ୍ଗତେ ସୀତା ନିଜନାରୀ

ଦଣ୍ଡକ ବନେ ଚଳିଲେ ଯତି ବେଶ ଧରି l


ପୁତ୍ରକୁ ନ ଦେଖି ଡାକି ହାୟ ହାୟ ରାମ

ଦଶରଥ ରାଜା ପ୍ରାପ୍ତ ହେଲେ ମୁକ୍ତିଧାମ l


ଜାନକୀଙ୍କୁ ହରିନେଲା ଲଙ୍କାର ରାବଣ

ଶରଣ ପଶିଲେ ଆସି ଭକ୍ତ ବିଭୀଷଣ l


ସେତୁ ବନ୍ଧ ବାନ୍ଧି ରାମ ଭାଲୁ କପି ଧରି

ସୀତା ଉଦ୍ଧାରିଲେ ଲଙ୍କା ରାବଣକୁ ମାରି l


ଅଧର୍ମରୁ ସ୍ବର୍ଣ୍ଣ ଲଙ୍କା ହେଲା ଛାର ଖାର

ହନୁମାନଙ୍କ ଲାଙ୍ଗୁଳେ ଜଳେ ବୈଶ୍ୱାନର l


ପିତୃସତ୍ୟ ପାଳି ଶେଷେ ଅରଣ୍ୟ ନିବାସ

କଟାଇ ଫେରିଲେ ରାମ ଚଉଦ ବରଷ l


ଅଯୋଧ୍ୟାନବରେ ପୁଣି ବାଜିଲା ବାଇଦ

ଅଯୋଧ୍ୟା ରାଜନ ରଘୁନାଥ ସତ୍ୟସନ୍ଧ l


ଅଲିଭା ଦାଗ ରହିଛି ଇତିହାସେ ଭାଇ

ପ୍ରାଣ ଯିବ ପଛକେ ବଚନ ଯିବ ନାହିଁ l


ଯୁଗେଯୁଗେ ଅଟଇ ଏ ରଘୁକୂଳ ରୀତି

ଶ୍ରୀରାମ, ଶ୍ରୀହରିଶ୍ଚନ୍ଦ୍ର ପାଳି ଯାଇଛନ୍ତି l


ସତ୍ୟ,ଦୟା,ଦାନ,ଧର୍ମେ ରଖିଥିବ ମତି

ନାଥପୁଅ କେନ୍ଦରାରେ ଗାଇବ କୀରତି l


ନମଃ ନମଃ ରଘୁନାଥ ରାଜୀବଲୋଚନ

ଭିକ୍ଷାଦିଅ ଯୋଗୀପୁଅ କରଇ କଲ୍ୟାଣ l


               

                 

         


Rate this content
Log in

Similar oriya poem from Inspirational