ଗୋଦାବରୀ ତୀର୍ଥ ଯାତ୍ରା
ଗୋଦାବରୀ ତୀର୍ଥ ଯାତ୍ରା
ଗୋଦାବରୀ ତୀର୍ଥ ଯାତ୍ରା
============
ଚଇତାଳି ବାଆ ମଧୁମାସ ଅନ୍ତେ ।
ତୀର୍ଥ କରିଗଲୁ ଦକ୍ଷିଣ ଭାରତେ ।।
ତେଲୁଗୁରାଇଜ ନୂଆ ରାଜଧାନୀ ।
କୁଳୁକୁଳୁ ବହିଯାଏ କୃଷ୍ଣାବେଣୀ ।।
ପ୍ରଥମେ ସେଇଠି ପହଞ୍ଚିଲୁ ଯାଇ ।
ଯହିଁ ବିରାଜନ୍ତି ମାଆ ଦୟାମୟୀ।।
କନକ ଦୂର୍ଗାଙ୍କ ସୌମ୍ୟ ଦରଶନ ।
ହୃଷ୍ଟହେଲା ଚିତ୍ତ ତୁଷ୍ଟହେଲା ମନ।।
ପୂତନୀରାନଦୀ କୃଷ୍ଣାଙ୍କ ତୀରରେ ।
ମାଆ ବିରାଜନ୍ତି ପର୍ବତ ଶିଖରେ ।।
କଟାଇଲୁ ସେଠି ଏକ ମାତ୍ର ରାତ୍ର ।
ପହଞ୍ଚିଲୁଯାଇ ଗୋଦାବରୀ ତୀର୍ଥ।।
ଐତହାସିକ ସେ ସୁନ୍ଦର ନଗରୀ ।
ନାମ ଅଟେ ଯାର ରାଜମହେନ୍ଦିରି।।
ପଞ୍ଚବଟୀ ଠାରୁ ଗୋଦାବରୀ ଆସି।
ବିସ୍ତାରି ଦେଇଛି ନୀଳ ଜଳ ରାଶି।।
ଦକ୍ଷିଣ ଭାରତେ ଅଟଇ ସେ ଗଙ୍ଗା।
ବକ୍ଷେ ଭାସୁଥିଲା କ୍ଷୁଦ୍ର ବଡ଼ ଡଙ୍ଗା।।
ଦେଖିଲୁ ଆରତୀ ତୀରେ ବସିକରି।
ସନ୍ଧ୍ୟା ବାଆ ବହୁଥିଲା ଶିରି ଶିରି।।
ପୂତ ବାରି ତା'ର ଶିରେ ଲଗାଇଲୁ।
କୂଳେ ମହାକାଳ ଶିବଙ୍କୁ ଦେଖିଲୁ।।
ଉତ୍କଳରେ ଥିଲା ଦିନେ ଅଂଶ ଏକ।
ରାୟ ରାମାନନ୍ଦ ଥିଲେ ପ୍ରଶାସକ।।
ରାମାନନ୍ଦେ ସଖ୍ୟ ଲଭି ଚଇତନ୍ୟ।
ଉତ୍କଳକୁ କଲେ ସେଠୁ ଆଗମନ।।
କାଟି ଅଷ୍ଟାଦଶ ବର୍ଷ ନୀଳାଚଳେ ।
ମହାପ୍ରଭୁଙ୍କର ଅଙ୍ଗେ ଲୀନଗଲେ।।
ସାକ୍ଷୀଗୋପୀନାଥ ଏହିଠାରୁ ଆସି।
ବକୁଳବନରେ ହୋଇଛନ୍ତି ବାସୀ।।
ରାଜ ମହେନ୍ଦ୍ରୀରୁ ପାଦଗୟା ଗଲୁ ।
ପିତୃଙ୍କ ପ୍ରିତ୍ୟାର୍ଥେ ପିଣ୍ଡଦାନ କଲୁ।।
ପାଦ ନାଭି ଶୀର୍ଷ ଅଟେ ତିନିଗୟା।
ଗୟାସୁର ବଧି ବିଷ୍ଣୁ କଲେ ଦୟା।।
ଏହି ଠାରୁ ଆମ୍ଭେ ସୀମାଚଳ ଗଲୁ।
ଚନ୍ଦନେ ଚର୍ଚ୍ଚିତ ବିଷ୍ଣୁଙ୍କୁ ଦେଖିଲୁ ।।
ପାହାଡ଼ ଗମ୍ଭୀରା ତାଙ୍କର ନିବାସ ।
ଦର୍ଶନେ ପ୍ରଭୁଙ୍କ ଲଭିଲୁ ସନ୍ତୋଷ।।
ସୀମାଚଳୁ ଗଲୁ, ବିଶାଖା ପାଟଣା।
ବନ୍ଦରନଗରୀ ରୂପେ ଯାହା ଜଣା।।
ବୁଲି ଦେଖୁଥିଲୁ ତାର ବେଳା ଭୂମି।
ସାଗର ସୈକତ ଯାଉଥିଲା ଚୁମି।।
ପୋତାଶ୍ରୟ ତା'ର ଅତି ସୁବିସ୍ତୃତ।
ଭାସୁଥିଲା ଯହିଁ ବଡ଼ ବଡ଼ ପୋତ।।
ନୌସେନାର ଏହି ପୂର୍ବାଞ୍ଚଳ ଘାଟି।
ଜଗିଛନ୍ତି ସେନା ଘାଟି ଦିବାରାତ୍ରି।।
ସୋନ୍ଦର୍ଯ୍ୟମୟୀ ଏ ବିଶାଖାପଟ୍ଟନ।
ଏହି ଠାରୁ ତୀର୍ଥ ଯାତ୍ରା ସମାପନ।।
ବୁଲା ବୁଲି କରି ସାତ ଦିନ ପରେ ।
ସସ୍ତ୍ରୀକ ଫେରିଲୁ ଏକାମ୍ରନଗରେ।।
ଜୟ ଜୟ ପ୍ରଭୁ ଲିଙ୍ଗରାଜେଶ୍ୱର ।
ଦୟା ରଖି ଥାନ୍ତୁ ଦୟାର ସାଗର।।
ସୁଖୀ ରହି ଥାନ୍ତୁ ଜଗଜ୍ଜନ ପ୍ରାଣୀ ।
ପ୍ରଭୁ କୃତ୍ତିବାସେ ଏତିକି ମାଗୁଣି ।।
🙏🙏🙏
ଅର୍ଜୁନୀ
--------------
ଅର୍ଜୁନୀ ଚରଣ ବେହେରା
ମୋ -୭୬୯୩୦୯୧୯୭୧
