ଶୀତ କେଡ଼େ ମନଲୋଭା
ଶୀତ କେଡ଼େ ମନଲୋଭା
ହେମନ୍ତ ଫେରିଲା ଶୀତ ଆସିଗଲା
ଗେଣ୍ଡୁ ଫୁଲେ ହସେ ବାରି ,
ଟୋପା ଟୋପା ହୋଇ ଶିଶିର ପଡ଼ଇ
ପଦ୍ମ ହସେ କିରି କିରି ।
ରାତିଟା ଲାଗଇ ସେ ବହୁତ ବଡ଼
ଦିନ କମି ହୁଏ ଛୋଟ ,
ଚାଇଁ ଚାଇଁ ଖରା କମି କମି ଯାଏ
ଚାଷୀ ମନ କୁଣ୍ଡେ ମୋଟ ।
ଜାତି ଜାତି ଫୁଲ ପନି ପରିବାରେ
ମନ ହୋଇଯାଏ କିଣି ,
ସୋରିଷ ଫୁଲର ହଳଦୀ ରଙ୍ଗରେ
ସଜ ନିହାର ରମଣୀ ।
ଆକାଶ ନିର୍ମଳ ତାରା ଗହଣରେ
ଦିଶଇ ଅତି ଉଜ୍ବଳ ,
ଧରଣୀ ରାଣୀର ଦେହଥରା ଶୀତେ
ଗରିବ ହୁଏ ବିକଳ ।
ମାର୍ଗଶିର ଶୀତ ପାଚିଲା ଧାନରେ
ମାତା ମହାଲକ୍ଷ୍ମୀ ଉଭା ,
ପୂଜନ୍ତି ନାରୀଏ ହରଷେ ମାତାଙ୍କୁ
ଗୁରୁବାରେ ପା'ନ୍ତି ଶୋଭା ।
ରଜନୀଗନ୍ଧା ଓ ଗେଣ୍ଡୁ , ପଦ୍ମଫୁଲେ
ପୁରି ଉଠେ ମାତା ଗଭା ,
ଶୀତ ଆଗମନେ ପାର୍ବଣ ସମ୍ଭାରେ
ଆହା କେଡ଼େ ମନଲୋଭା ।
କାର୍ତ୍ତିକ ପୂର୍ଣ୍ଣିମା ଓ ପ୍ରଥମାଷ୍ଟମୀ
ସ୍ମରି ପୂର୍ବ ସ୍ମୃତି ମାନ ,
ଶୀତର ଆସର ଶୋଭାର ଭଣ୍ଡାର
ସଭିଙ୍କ ହରଷ ମନ ।
