STORYMIRROR

Prafulla Chandra Mishra

Romance

4  

Prafulla Chandra Mishra

Romance

ଶୀତ ଗୀତ

ଶୀତ ଗୀତ

2 mins
364

   

ଶୀତ, ଗାଇ ଗାଇ ଆସେ ଗୀତ,

କୁହୁଡି ଭିଜା ସେ ସକାଳ ସୂରୁଯ,

କାକରେ ପତରେ ପକାଏ ମୁରୁଜ; 

ଟୋପା ଟୋପା ହୋଇ ପତର ଦେହରୁ 

ଝରଇ ଅବା ଅମୃତ, 

ମୁକ୍ତା ପରି ସେତ ଦୂର୍ବାଦଳ ଦେହେ 

ଝଟକି ଉଠୁଛି ଦେଖ;

ଶୀତ, ଗାଇ ଗାଇ ଆସେ ଗୀତ ।।


ମାର୍ଗଶିର ଶୀତ ଆହାକି ପ୍ରମତ୍ତ,

ନୀଡ ଛାଡ଼େ ନାହିଁ ପ୍ରଭାତେ ବିହଙ୍ଗ,

ଶୂନ୍ୟ ଆକାଶ ଟା କୁହୁଳିଆ ରଙ୍ଗ;

ସାରା ଏ ଭୂଧର କୁହୁଳା ରଙ୍ଗରେ

ହୋଇଅଛି ଧୂମାୟିତ,

କୁହୁଡି ଅଶ୍ଳେଷେ ଜାବୁଡି ଧରିଛି 

ଦିଶୁନାହିଁ ରାସ୍ତା ଘାଟ;

ଶୀତ, ଗାଇ ଗାଇ ଆସେ ଗୀତ ।।


ଶଶି କର ଝର ନୀହାରେ ଶୀତ, 

ପକ୍ଵ କେଣ୍ଡା ସୁନା ଧାନର କ୍ଷେତ,

କୃଷକ ମନ ହୁଏ ଆନନ୍ଦିତ;

ଅତିବ ଆନନ୍ଦ ଆତ୍ମହରା ତାର

ପରାଣେ ଭରେ ଉଷତ,

ବିଭୋରେ ଅଧିରେ କେଦାରେ ଗାଉଛି 

ମନ ଫୁଲାଣିଆ ଗୀତ 

ଶୀତ, ଗାଇ ଗାଇ ଆସେ ଗୀତ ।।


ଲକ୍ଷ୍ମୀ ଠାକୁରାଣୀ ବିଜେ କଲେଣି,

ହୁଳହୁଳି ସ୍ଵର ଶବ୍ଦେ ଧରଣୀ,

ଉଭା ହେଲେଣି ଲକ୍ଷ୍ମୀ ଠାକୁରାଣୀ;

ନୂଆ ଚାଉଳର ପିଠୋଉ ରଙ୍ଗରେ

ଝୋଟି ଚିତ୍ର ରଙ୍ଗାୟିତ,

ପିଠା ପଣା ବାସ୍ନା ମହକି ଯାଉଛି

ସ୍ଵର୍ଗ ସମ ଲାଗେ ମର୍ତ୍ତ୍ୟ;

ଶୀତ, ଗାଇ ଗାଇ ଆସେ ଗୀତ ।। 


ସଞ୍ଜ ହଲେ ପହଣ୍ଡିରେ ବସିକି,

ଉହ୍ମେଇ ରେ ଗୋଡ ହାତ କୁ ସେକି,

ଆଈ ବୁଢୀ ଗପ ବୁଢୀ ଅସୁରୁଣୀ;

ଅନିନ୍ଦ୍ୟ ସୁନ୍ଦରୀ ରାଜ ଜେମା କଥା

ମନ କରଇ ମୋହିତ,

ସେ ଗପ ଶୁଣିଲେ ଶୀତ ଛାଡିଯାଏ

ଦେହ ହୁଏ ରୋମାଞ୍ଚିତ; 

ଶୀତ, ଗାଇ ଗାଇ ଆସେ ଗୀତ ।। 


ବାଡି ବଗିଚା ରେ ଫୁଟିଛି ଫୁଲ,

ଗେଣ୍ଡୁ,ମଣ୍ଡା,ମକମଲ୍ଲୀ,କରବୀର,

ଜାଇ,ଯୂଇ,ହେନା ତମାଳ ଟଗର;

ନାନା ରଙ୍ଗେ ବାଆ ସଙ୍ଗେ ଢଳି ଢଳି 

ଦିଶୁଅଛି ବିଶୋଭିତ,

ପ୍ରକୃତି ଗଳାରେ ଶୀତର ଗଜରା

ଦୃଶ୍ୟ କରେ ବିମୋହିତ;

ଶୀତ, ଗାଇ ଗାଇ ଆସେ ଗୀତ ।।


ଏଇ ଶୀତ କାଳ ଧନୀ ଗରିବ ର,

ଏଇ ଶୀତ କାଳ ପ୍ରେମ ପ୍ରେମିକର,

ଉଷୁମ ପରସେ ସପନ ରାତିର; 

ମନ ଗହନର ସୁଖଦ ଭାବନା

ହୁଏ ଖାଲି ଗୁଞ୍ଜରିତ,

କାମ କାମନାର ମନ୍ଦ୍ର ସଙ୍ଗୀତ

କରି ଦିଏ ବିହ୍ଵଳିତ; 

ଶୀତ, ଗାଇ ଗାଇ ଆସେ ଗୀତ ।। 


କୋଶଳା ପାଳଙ୍ଗ ଧନିଆଁ ଚାରା,

ମୂଳା, ବନ୍ଧାକୋବି ପରିବା ସାରା,

ବଜାର ହାଟରେ ରୂପ ପଷରା;

କଞ୍ଚା ପରିବାର ହରରଙ୍ଗି ରଙ୍ଗ

ସଭେଁ ହୋନ୍ତି ଆକର୍ଷିତ, 

ଶୀତ ର ଏ ରୂପ ମନ ମତାଣିଆ

କୃଷକ ଆନନ୍ଦ ଚିତ୍ତ;

ଶୀତ, ଗାଇ ଗାଇ ଆସେ ଗୀତ ।।


ଷୋରିଷ କ୍ଷେତରେ ଫୁଲ ପସରା,

ଭ୍ରମର ସେଠାରେ କରନ୍ତି ଲୀଳା,

ସୁନା ହଳଦିଆ ରୂପ ତା ତୋରା;

ଶୀତରେ ଉଷୁମ ପରଶେ ହରସେ

ରତ ମଧୁପାନେ ମଧୁପ,

ଗୁଣୁଗୁଣୁ ତାନ ଗୁଞ୍ଜନ ଶବଦେ

ପରିବେଶ ଗୁଞ୍ଜରିତ;

ଶୀତ, ଗାଇ ଗାଇ ଆସେ ଗୀତ ।।


ଶୀତୁଆ ସଞ୍ଜେ କୋହଲା ପବନ,

ଯାଏ ପରଶି କମ୍ପେ ଅପଘନ,

ରାତି ବଡ, “ଛୋଟ ହୁଅଇ ଦିନ;

ଛାଇ ଲେଉଟିଲେ ଉତ୍ତରା ପବନେ

ଦଶଦିଶ କରାୟତ,

ଚୁଲିମୁଣ୍ଡେ ବୋଉ କୋଳେ କାନିତଳେ

ଶୀତ ସଙ୍ଗେ ବସେ ମିତ;

ଶୀତ ,ଗାଇ ଗାଇ ଆସେ ଗୀତ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance