ଶିବ ବିବାହ/ଶୀତଳ ଷଷ୍ଠୀ
ଶିବ ବିବାହ/ଶୀତଳ ଷଷ୍ଠୀ
ହେ ମଙ୍ଗଳମୟ ପରମ ଈଶ୍ୱର
ମହାଯୋଗୀ ମହେଶ୍ୱର,
ମାତା ପାର୍ବତୀଙ୍କ ସହ ପରିଣୟ
ଶୀତଳଷଷ୍ଠୀ ତିଥିର।
ଶିବ ପ୍ରଣୟିନୀ ଦକ୍ଷ କନ୍ୟା ସତୀ
ଅନଳରେ ଦେଲେ ଝାସ
ଅତି କ୍ରୋଧଭରେ ଶିବ ଭଗବାନ
ଦକ୍ଷ ଯଜ୍ଞ କଲେ ଧ୍ବଂସ ।
ସତୀଙ୍କ ବିଛେଦେ କଇଳାସ ପତି
ହିମବନ୍ତ ଶିଖେ ମିଳି
ଯୋଗ ସାଧନାରେ ନିମଗ୍ନ ରହିଲେ
ପ୍ରଭୁ ଶ୍ରୀଚନ୍ଦ୍ରମଉଳି।
ମାତା ସତୀ ଯାଇ ପର୍ବତ ରାଜନ
ହିମାଳୟ ଘରେ ଜନ୍ମି,
ପାର୍ବତୀ ନାମରେ ହେଲେ ପରିଚିତା
ହିମରାଜଙ୍କ ନନ୍ଦିନୀ।
ନାରକାସୁରର ନିଧନ ନିମନ୍ତେ
ଶିବ ପାର୍ବତୀ ମିଳନ
ଦେବଦେବଙ୍କର ଯୋଗ ଭଙ୍ଗ ଚିନ୍ତା
କଲେ ମିଳି ଦେବଗଣ।
ମାତା ପାର୍ବତୀଙ୍କ ତପସ୍ୟାରେ ପ୍ରିତ
ଦେବଦେବ ମହାଦେବ
ପାର୍ବତୀ ଦେବୀଙ୍କୁ ବିବାହ କରିଲେ
ସ୍ଵୟଂ ପ୍ରଭୁ ସଦାଶିବ।
ଜ୍ୟେଷ୍ଠ ଶୁକ୍ଳ ପକ୍ଷ, ପଞ୍ଚମୀ ତିଥିରେ
ବିବାହ ହେଲା ସମ୍ପନ୍ନ
ଶୀତଳଷଷ୍ଠୀରେ ଶୈବପୀଠ ମାନ
ମୁଖରିତ ନିଶିଦିନ।
ରୌଦ୍ର ତାପରେ ତପତ ଧରଣୀ
ସେଦିନୁ ହେଲା ଶୀତଳ
ପ୍ରାକ୍ ମୌସୁମୀର ବରଷାର ବଳେ
ଆନନ୍ଦିତ ଚାଷୀ କୁଳ।
