ଶେଷରେ ତୁମେ ବି ରାଗିଲ
ଶେଷରେ ତୁମେ ବି ରାଗିଲ
ମାଆ କଥା ମାନି
କନ୍ଦର୍ପ କଳା କୁଶଳା ହୋଇଥିଲେ
ଅନ୍ଧାରର ପରିକ୍ରମା ଛାଡି
ସିଧା ଚନ୍ଦ୍ରମା ରାଜ୍ୟକୁ
ଉଡି ଯାଇ ନ ଥାନ୍ତି ?
ସେତକ ହୋଇ ନ ଥିଲି ବୋଲି ତ
ଆଜି ଶୁଣିବାକୁ ମିଳେ
ଆଜି ମାଆର ଯେତେ ଧିକ୍କାର ।
ମୁଁ ହେଲି ତା ଦଳ ଛାଡି
ପଛରେ ଉଡୁଥିବା
ଅମାନିଆଁ ଆଉ ଅନ୍ୟମନସ୍କ ଚଢେଇ
କାରଣ ଉଡିବା ସହ ଦେଖୁଥିଲି
ମାର୍ଗ ତଳର ଶ୍ୟାମଳିମା
ଆଉ ମୁଖର ଜୀବନକୁ ।
ଅଲିଅଳ କରି ବଡ଼ କରିଥିବା
ଆଉ ଝଗଡା ବେଳେ
ମୋ ପଟ ନେଇ
ମାଆଙ୍କ ସହ ଏକମତ
ନ ହେଉଥିବା ବାପା ବି
ଏବେ କଥା କଥାକରେ ଚିଡି ଯାଇ
"ନନସେନ୍ସ" କହି ଦେଉଛନ୍ତି ।
ଆଉ ଶେଷରେ
ତମେ ବି ରାଗିଲ !
ପାରିବ କି ବୁଝି
କଅଣ ହେବ
ସେ ନଈର ଆତ୍ମାକୁ
ଯିଏ ଘନ ବନାନୀ, ଗିରି କନ୍ଦର
ନିଜ ମାଟି, ନିଜ ଗାଆଁ ସବୁ ଛାଡି
ସମୁଦ୍ର ପାଖରେ ପହଞ୍ଚିବା ପରେ
ଯଦି ସମୁଦ୍ର ତାକୁ ପ୍ରତ୍ୟାଖ୍ୟାନ
କରି ଦିଏ ?
ଏମିତି ତ ହୁଏନି କେବେ
କିନ୍ତୁ ଯଦି ହୁଅନ୍ତା, ବେଚାରୀ ନଦୀ
କୁଆଡେ ଯାଆନ୍ତା ବି !
କହି ପାରିବ କଅଣ ହେବ
ଯଦି ପଶ୍ଚିମ ଦିଗନ୍ତ
ବୁଡ଼ିଲା ସୂର୍ଯ୍ୟକୁ ମନା କରିଦିଏ
କୋଳକୁ ନେବାକୁ ?
ଜାଣିଛ କି ତୁମେ,
ଚନ୍ଦ୍ରୋଦୟର ସ୍ୱପ୍ନ ଦେଖୁଥିବା କଇଁର
ମନ କେମିତି ଭାଙ୍ଗି ଭାଙ୍ଗି ଯାଏ,
ଯଦି ସଞ୍ଜ ଆକାଶକୁ
ମେଘ ହଠାତ୍ ଢାଙ୍କି ଦିଏ ?
ଏବେ କାହିଁ ତୁମେ
ଏଡ଼େ ଅସହିଷ୍ଣୁ ଲାଗ
ଯେମିତି ନିଜ ସିଟରୁ
ବିନା ଟିକେଟଵାଲା ସହଯାତ୍ରୀକୁ
ଉଠେଇ ଦେଉଥିବା
ନିର୍ଦ୍ଦୟ ମୁସାଫିର ତୁମେ
ଯିଏ ତାଠୁଁ ରେଳ ପାଇଖାନା ପାଖରେ
ବସିବାର ଅଧିକାର ବି ଛଡେଇ ନିଏ ।
କିମ୍ବା ଦୀର୍ଘ ପଥ ଚାଲି
ମେଘରେ ତିନ୍ତି ଆସିଥିବା ବାଟୋଇକୁ
ତୁମ ବାରଣ୍ଡା ତିନ୍ତିବ କହି
ତା ଛତାକୁ ବାରଣ୍ଡା ତଳେ
ରଖିବାକୁ କୁହ ।
ମୋର ଆଗ ପଛ ସବୁ ଜାଣି
ଶେଷରେ ତୁମେ ବି ରାଗିଲ ।
ତୁମ ଉପରେ ମୋର
କେତେ ଯେ ଭରସା
ଯେମିତି କପୋତିନୀର ଭରସା
ଶିମିଳି ଶାଖାକୁ
ଯିଏ ତାର
ନିତି ନିତି କ୍ରନ୍ଦନର ସାକ୍ଷୀ ।
ପ୍ରତିବାଦ କରିବାର ସାହସ ଦେଲ
ଆଉ ପ୍ରତିବାଦର ଭାଷା ଶିଖାଇଲ ବି
ପ୍ରୟୋଗ କରିଲି ତାହା
ନିଜ ପ୍ରିୟ ପରିଜନଙ୍କ ଉପରେ
କିନ୍ତୁ ଏବେ କାହିଁକି କେଜାଣି
ତୁମକୁ ପ୍ରତିବାଦ କରିବାର ହେଲେ
ସେ ଭାଷା ବିସ୍ମରି ଯାଏ ମୁଁ ।
ଏବେ ଟିକେ ଟିକେ କଥାରେ
କାହିଁ କାନ୍ଦି ପକାଏ ମୁଁ
ଯେମିତି ଲୁହ ହୀରକୁଦର
ସବୁ କବାଟ କିଏ
ଖୋଲି ନେଇଛି ମୋ ଆଖିରୁ ।
କେମିତି ବୁଝେଇ କହିବି
ଲାଜକୁଳୀ ମୋ ମନଲତାକୁ
ଯାହାର ପତ୍ର ପତ୍ର ସରମି ଯାଆନ୍ତି
ତୁମ ପ୍ରେମର
ବର୍ଷା ବିନ୍ଦୁ ମାଡରେ ?
ଏବେ ତୁମେ କହିପାର
ତୁମ ପ୍ରେମ ମିଛ ଥିଲା;
ହେଲେ ତୁମକୁ କେମିତି ବୁଝେଇବି ?
ତୁମ ପ୍ରେମ ମିଛ ହେଲେ ବି
ସେଇ ମିଛକୁ ନେଇ କେମିତି
ପ୍ରତି କ୍ଷଣ ଜିଏ ଆଉ ମରେ ମୁଁ ।
