STORYMIRROR

Krushna Chandra Lenka

Abstract Drama Inspirational

4  

Krushna Chandra Lenka

Abstract Drama Inspirational

ଶେଷ ତୀର୍ଥ ଥାନ:ମୋ ଗାଆଁ ଶ୍ମଶାନ

ଶେଷ ତୀର୍ଥ ଥାନ:ମୋ ଗାଆଁ ଶ୍ମଶାନ

1 min
307

ଗ୍ରାମ ଶେଷେ ନଦୀ ତଟେ ରହିଛି ଶ୍ମଶାନ,

ଶେଷ ଯାତ୍ରା କାଳେ ନର କରଇ ଗମନ।


ଯେତେ ତୀର୍ଥ ଜୀବନେ ଯେ' କରିଥାଏ ବିଶ୍ୱେ,

ଶେଷ ତୀର୍ଥ ଗାଁ' ଶ୍ମଶାନ ତାର ନେଇ ଆସେ।


ଯେତେ ହୋମ ଯଜ୍ଞେ ତୁହି ଥିବୁ ଘୃତ ଢାଳି,

ଶେଷେ ତୋର ଏଇ ଥାନେ ଯିବ ଜୁଇ ଜଳି।


ତୋର ପ୍ରିୟ ଜନ ଅବା ପରିବାର ଲୋକେ,

ତତେ ଏକା ଛାଡି ଏଠି ଯିବେ ନିଜ ଦୁଃଖେ।


ନଥିବ ତୋହର ପାଶେ ଦାମୀ ଶେଯ ସେଠି,

ଘସି, କାଠେ ଶୁଆଇବେ ଦିଶୁଥିବ ପିଠି।


ଶୋଇଥିବୁ ଧନ ତୁହି ଅଚିନ୍ତା ନିଦ୍ରାରେ,

ଭସାଇ କୁଟୁମ୍ବ ବର୍ଗେ ଶୋକ-ପାରାବାରେ।


ଦାମୀ ଅଳଙ୍କାର ଯେତେ ମଣ୍ଡୁଥାଏ ଦେହେ,

ପାଳ ରଶି ଫାଶ ମାତ୍ର ସେଠି ଶୋଭା ପାଏ।


ତୋ'ଦାମୀ ବସନ ଯେତେ ଥାଉ ପଛେ ପାଶେ,

ଧଳା ଲୁଗା ଘୋଡାଇବେ ତୋର ଦେହେ ଶେଷେ।


ଯେତେ ଦାମୀ ପାତ୍ରେ ତୁହି ଖାଉ ଗୃହେ ଯହିଁ,

ମାଟି ହାଣ୍ଡି ପାତ୍ରେ ଭାତ ଦେବେ ଶେଷେ ତହିଁ।


ଭୋଜନ କାଳେ ତଣ୍ଟିରେ ଲାଗେ ଯଦି ତୋର,

ସେ'ଥାନେ ମିଳିବ କାହୁଁ ଅବା ବୁନ୍ଦେ ନୀର।


କେତେ କ୍ଳେଶ ସହି ତୁହି ଉପାର୍ଜିଲୁ ଧନ,

ପ୍ରାଣ ଗଲା ବେଳେ ତାହା ଗଲା କି ଶ୍ମଶାନ ।


ମିଛେ ଗର୍ବ, ଅଭିମାନ କରୁ କାହିଁ ତେବେ,

କାଳବଳେ ଏକାବେଳେ ନାଶ ହୁଏ ଯେବେ।


କେତେ ଧନୀ, ଜ୍ଞାନୀ, ଦାନୀ ଅବା ଦୁଃଖୀ ଦୀନ,

ସଭିଙ୍କ ପାଇଁ ସମାନ ସଦା ଏଇ ଥାନ।


ଜାତି, ଧର୍ମ, ବର୍ଣ୍ଣ ଅବା ଲିଙ୍ଗ ନିର୍ବିଶେଷେ,

ହୋଇଥାନ୍ତି ସର୍ବେ ଦାହ ଦୟନୀୟ ବେଶେ ।


ଜୀବନର ଶେଷ ସତ୍ୟ ଘଟେ ଏଇ ଥାନେ,

ସେ'ପାଇଁ ଏ'ଥାନ ସଦା ରହିଚି ନିର୍ଜନେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract