ଶେଷ ସନ୍ତକ
ଶେଷ ସନ୍ତକ
ତୁମେ ଗଲା ପରେ ତୁମ ପଛେ ପଛେ
ଫଗୁଣ ଯାଇଛି ଫେରି
ମୋ ଛାତି ଚାରି ପାଖେ କୁହୁଡ଼ି ବଳୟ
ବଉଳ ଗଲାଣି ଝରି।
ସେଇ ଝରା ବଉଳର ଶୁଖିଲା ପାଖୁଡ଼ା
ମୋ ଶେଷ ସନ୍ତକ ପରି
ରଖି ମୁଁ ଭାବୁଛି ଆଜି କିମ୍ବା କାଲି
ତୁମେ ଆସିବ ନିଶ୍ଚୟ ଫେରି।।
ମଉଳି ଯାଇଛି ଗୋଲାପ ବଗିଚା
ଫୁଟୁନାହିଁ ଆଉ ଫୁଲ
କେଜାଣି କି ଯାଦୁ କରି ଗଲ ଚାଲି
ଶୁଖି ଗଲାଣି ତା ଡାଳ।
ନିଜ ହାତେ ଯେଉଁ ଗଛ ରୋପି ଥିଲ
ଆଖି ତାର ଛଳଛଳ
ତୁମରି ପରି ସେ ନିରବି ଯାଇଛି
ମୋ ସାଥିରେ କରି ଗୋଳ।
ସାଇତି ରଖିଛି ଗୋଲାପି ରୁମାଲ
ତୁମ ଛୁଆଁ ଦେଇ ଯାଏ
ତୁମେ ଦେଇଥିବା କଲମରେ ଲେଖି
କବିତା ମୁଁ ନିଜେ ଗାଏ।
ନଥାଇ ବି ତୁମେ ଥିଲା ପରି ଲାଗ
ଯେବେ ବର୍ଷା ହୁଏ ଅସରାଏ
ଆଉ କି ଏମିତି ସୁଖରେ ଦୁଃଖରେ
ଆଖିରୁ ଲୁହ ଝରାଏ !!
କିଏ କହେ ତୁମେ ନାହଁ ଏଠି ବୋଲି
କାହିଁ ମୋତେ ଜଣା ପଡ଼େ ନାହିଁ
ଯେବେ ମୁଁ ଆଇନା ଦେଖେ ତୁମେ ଥାଇ
ପଛେ ଲୁଚି ପରା ଦିଅ ଛୁଇଁ।

