ଶେଷ ପାହାଚ
ଶେଷ ପାହାଚ
ପାହାଚ ଶେଷ ହେବାର ସମୟ
ସମୟ ଆରମ୍ଭ ହେବାର ପାହାଚ
ଗୋଟିଏ ମୃତ୍ୟୁ ହିଁ ଆଣେ ଆଉ ଗୋଟିଏ ଜନ୍ମ
କରିବାକୁ ହେବ ତୋତେ ତତ୍ତ୍ଵ, ତଥ୍ୟ, ସତ୍ୟର ସନ୍ଧାନ
ଲୁହକୁ ଚୁମ୍ବନ ଦେଇ ସୁଖକୁ କର ଆଲିଙ୍ଗନ
ଏକାଗ୍ର ଚିତ୍ତରେ ସୃଷ୍ଟି ଏକାଗ୍ର ଚିତ୍ତରେ ବିନାଶ
ମନୁଷ୍ୟ ହିଁ ଦେବତା ନିଜର ଦର୍ଶନ ବଦଳାଇଲେ
ଆତ୍ମଶକ୍ତି ଆଗରେ ସହସ୍ର ପରମାଣୁ ବୋମା ବି ସୂକ୍ଷ୍ମ
ପାଦ ଚଲା ତୋର, ଗତିରେ ହିଁ ହୁଏ ଶକ୍ତିର ଉତ୍ପନ,
ତୋ' ଇଛାର ତୁ ନ ହୋଇ ଦାସ
ତୁ ତୋ' ଇଚ୍ଛାକୁ କରି ଦେ ତୋର ଦାସ
ତ୍ୟାଗ କରିବାକୁ ହେବ ନିଜକୁ ନିଜଠାରୁ
ତୁ କିଏ ତୋତେ ଚିହ୍ନିବାକୁ ହେବ
ପୃଥିବୀ ପ୍ରକୃତି ସବୁ ତୋର ଅତି ନିଜର
ଥରେ କଥା ହୋଇ ଦେଖ ପାହାଡ- ଝରଣା-ପବନ ସହ
ତା' ପରେ ଜାଣିବୁ ତୋ' ଅନ୍ତରର ବିଶାଳତା ପ୍ରଚଣ୍ଡତା
ତୁ ନିୟତିର ସାଧନ, ନିଜକୁ ସମୁଦ୍ର କରିଦେ
ନିଷ୍ଠାର ସହ ମନ୍ଥନ ହେଉ ତୋର ମନ
ସେଇଠୁ ହେବ ଅମୃତର ସୃଷ୍ଟି ଜୀବନ୍ତ ହେବ ଜୀବନ
ରାତି ପାହିବା ପରେ ବି ମରିବନି ତୋର ସପନ,
ଆତ୍ମାକୁ ଆତ୍ମାରେ ରହି କରିହେବ ଦର୍ଶନ
ଆତ୍ମା ସହ ହେବ ଏକାନ୍ତେ ତୋର କଥୋପକଥନ
ଭୁଲିବାକୁ ହେବ କିଛି ଅଂଶର ଜୀବନ ଓ ଯୌବନ
ଶେଷ ପାହାଚରେ ଆହାଃ କି ମଧୁର ଯନ୍ତ୍ରଣା
ଯେଉଁ ଯନ୍ତ୍ରଣାରୁ ଜାତ ହୋଇ ଶକ୍ତି ନୁଆ ହୋଇ ଆସିବ
ଜୀବନର ନୂତନ ମହାଶକ୍ତି ଓ ବିବେକ ବିଜୟର ଲକ୍ଷ୍ୟ
ପ୍ରମାଣିତ ସମୟ ହିଁ କରିବ କାଳ ହିଁ ରହିବ ତୋର ସାକ୍ଷ୍ୟ
ପକ୍ଷ ବିପକ୍ଷର ପରିସରରୁ ବହୁ ଉର୍ଦ୍ଧେ ରହି
ତୁ ବି ନିଶ୍ଚେ କରିପାରିବୁ ସୂକ୍ଷ୍ମରୁ ସୂକ୍ଷତର ବସ୍ତୁର ଗଣନା,
ତୁ ସର୍ଜନା କରିପାରିବୁ ବୈଶାଖରେ ବସନ୍ତ
ତୁ ଉଡି଼ପାରିବୁ ଶୁଭ୍ରମେଘେ ନୀଳ ଗଗନ ଅନନ୍ତ
ମନ ମରୁଭୂମିରେ ଜଳର ଆବିଷ୍କାର କରି ସବୁଜତା ଆଣିବୁ
ମସ୍ତିଷ୍କ ମଶାଣିରେ କରିପାରିବୁ ମୋକ୍ଷର ମନ୍ଦିର
ଶେଷ ପାହାଚରେ ପହଞ୍ଚି ଉଦ୍ୟମର ଶେଷ ଚାବିରେ
ଜ୍ଞାନର ଧ୍ରୁବ ସତ୍ୟତାକୁ କରିବୁ ମର୍ମେମର୍ମେ ଅନୁଭବ
ଅଦୃଶ୍ୟ ଅସୀମ ଶକ୍ତିର ନା ଆଦି ଅଛି ନା ଅନ୍ତ
ଥରେ ପ୍ରାବଲ୍ୟରେ ଚାହିଁ ଦେଖ ତୁ ଧ୍ୟାନରେ
ତୁ ବି ମୃତଶରୀରରକୁ ସାଧନା ଶକ୍ତିରେ କରିପାରିବୁ ଜୀବନ୍ତ।