STORYMIRROR

Tapan Kumar Swain

Children

3  

Tapan Kumar Swain

Children

ଶେଷ ମଗୁଶିର ମାସ

ଶେଷ ମଗୁଶିର ମାସ

1 min
199



ଡାକିଲାଣି ଆସି ସକାଳୁ ସକାଳୁ

ଅଗଣାରେ ବସି କାଉ

ମଗୁଶିର ମାସ ଗୁରୁବାରଟାରେ

ଉଠି ପଡ଼ିଲାଣି ବୋଉ

ଆଣ ତାଟିଆଏ ଧରି,

ବୋଉ ଆଙ୍କୁଅଛି ଲକ୍ଷ୍ମୀ ପାଦ ଛବି

ଶୀତ ସକାଳରେ ଥରି ।


ବାପା ଆଣିଥିଲେ ବାଲିଯାତରାରୁ

ବୋଉ ପାଇଁ ଯେଉଁ ଶାଢ଼ୀ

ସେଇ ଶାଢ଼ୀ ବୋଉ ଗାଧେଇ ପିନ୍ଧିଛି

ପେଟରା ଭିତରୁ କାଢି

ଚିକି ଚିକି କରେ ଜରି,

ବୋଉ ମୋର ସତେ ଦିଶୁଚି ଯେମିତି

ଲକ୍ଷ୍ମୀ ପ୍ରତିମାଟେ ପରି ।


ଏସନ ବିଲରୁ ଜେଜେ ଆଣିଥିଲେ

ନୂଆ ଧାନ କେଣ୍ଡା ବେଣୀ

ସେଇ ଧାନକେଣ୍ଡା ସଜେଇଛି ବୋଉ

ମାଣ ଖଟୁଲିରେ ଆଣି

>କିସୁନ୍ଦର ଦିଶେ ଆହା,

ପଦୁଅଁ ଫୁଲରେ ମାଳ ସଜାଉଛି

ବିଜେ ହେବେ ଲକ୍ଷ୍ମୀ ମାଆ  ।


ସାରା ରାଇଜ ମୁଁ ବୁଲି ଆସିଲିଣି

ଏମିତି ପରବ ନାହିଁ

ଯେଉଁ ପରବରେ ସାରା ପରିବାର

ଏକାଠି ଦେଖିନି କାହିଁ

ମିଳି ମିଶି ବାପା,ଭାଇ

ବୋଉ ପଢୁ ଥାଏ ଲକ୍ଷ୍ମୀ ପୁରାଣକୁ

ଶୁଣୁଥାନ୍ତି ଜେଜେ,ଆଈ ।


ଧୂପ,ଦୀପ,ଝୁଣା, ଚନ୍ଦନ ବାସରେ

ମହକି ଉଠୁଛି ଘର

ଚକୁଳି,କାକରା,ମଣ୍ଡାପିଠା ବୋଉ

ଗଢୁ ଅଛି ଦେଇ ପୁର

ଦେଖିବ କିଏସେ ଆସ,

ଫେରି ଯାଉଅଛି ଏଇ ଗୁରୁବାରେ

ଶେଷ ମଗୁଶିର ମାସ ।


 



Rate this content
Log in

Similar oriya poem from Children