"ସୁନ୍ଦର ଶୈଶବ "
"ସୁନ୍ଦର ଶୈଶବ "
ଖିଲି ଖିଲି ହସ ଖନି ଖନି କଥା
ନାଲି ନାଲି ଓଠ ଧାରେ
କଅଁଳ ଶିଶୁର ଚପଳ ଚାହାଣି
ଅନ୍ତରେ ମମତା ଭରେ ll
ଠୁକୁ ଠୁକୁ ଚାଲି ଅଝଟରେ ତା'ର
ଭରିଥାଏ କେତେ ଖୁସି
ମନେ ଆଣି ଦିଏ ନୀରବତା ପୁଣି
ଟିକେ ଗଲେ ସିଏ ରୁଷି ll
ତା'ର ହାତ ଠାର ଦରୋଟି କଥାରେ
ସରଗ ପାଲଟେ ଘର
ସ୍ନେହ, ପ୍ରେମ ଆଉ ଖୁସି ଆନନ୍ଦରେ
ହସି ଉଠେ ଏ ସଂସାର ll
ମାନ-ଅଭିମାନ ନଥାଏ ମନରେ
ନଥାଏ ବୁଝିବା ପଣ
ନଥାଏ ଭାବନା ନଥାଏ ଶୋଚନା
ଥାଏ ଶିଖିବାର ଗୁଣ ll
ସରଳ, ନିର୍ମଳ, ନିଷ୍ପାପ ଶୈଶବ
ନଥାଏ ମନରେ ଲୋଭ
ଖେଳ-କୁଦ ଆଉ ସ୍ନେହ ଆଦରରେ
ଚାଲିଯାଏ ସବୁ କ୍ଷୋଭ ll
ନିଜ ପରିବାର ପରିବେଶକୁ ସେ
କରଇ ଅନୁକରଣ
ଜାଣିବାର ଇଚ୍ଛା ଅଜ୍ଞାନତା ନାଶି
କରେ ଜ୍ଞାନ ଜାଗରଣ ll
