ଶବର ଚରିତ ଚଇତି ଯାତ
ଶବର ଚରିତ ଚଇତି ଯାତ
ଘୋର ବନସ୍ତରେ ଯେବେ ଗୋପନ ଭାବରେ,
ମାତା ବିଜେ କରିଥିଲେ ଦାନ୍ତୁଆଣି ଠାରେ..
ଦୁଇ ପୁଅ ସାଥେ ଘେନି ଶବର ଆସିଲା,
ବୃକ୍ଷ ପରେ ମିଠା କୋଳି ଆନନ୍ଦେ ଖାଇଲା....
କୋଳି ମଞ୍ଜି ଫୋପାଡିଲେ ସଭିଏଁ ତଳକୁ,
ପାଷାଣ ପ୍ରତିମା ଦେହେ ବାଜିଲା ଶେଷକୁ..
ଅସ୍ଥିର ହୋଇଣ ଦେବୀ ସର୍ପ ରୂପ ନେଲେ,
ଶବର ପୁଅ ଦୁହିଁଙ୍କୁ ନିମିଷେ ଗିଳିଲେ....
କ୍ରୋଧରେ ଶବର ସର୍ପ ମୁଣ୍ଡ ଦେଲା ହାଣି,
ଅନ୍ତର୍ଦ୍ଧାନ ହେଲା ସାପ ଦିଶିଲେ ତାରିଣୀ..
କରୁଣାମୟୀ ଜନନୀ ଯାଚି ଦେଲେ ବର,
ପୁନର୍ଜନ୍ମ ତୁମ ନାହିଁ ହୋଇବ ପଥର....
ଘଟଗାଁ ପୀଠରେ ମୋର ସମୀପେ ରହିବ,
ଦେହୁରୀ ହାତରୁ ନିତି ପୂଜା ତ ପାଇବ..
ଏ ତିଥି ପଣା ସଂକ୍ରାନ୍ତି ମୋର ମୁଖ୍ୟ ଯାତ,
ଘଟଗାଁ ଚଇତି ହେବ ସଂସାରେ ବିଖ୍ୟାତ