ଶବ୍ଦର ସନ୍ଧାନରେ
ଶବ୍ଦର ସନ୍ଧାନରେ


କାହିଁକି କେଜାଣି
ଆଜି ସକାଳୁ ସକାଳୁ କବିତା ମନସ୍କ ହୋଇ ଉଠୁଛି ମନଟା
ମନ୍ଥି ହୋଇ ହୋଇ ଯାଉଛି ହୃଦୟ
କବିତାଟେ ଲେଖିଦେଇ ଅନ୍ତର ତଳ ଉଦବେଳନକୁ
କାଗଜରେ ଉତାରି ଦେବାକୁ ।
ଷ୍ଟୋରିମିରର୍ ପାଇଁ ହେଉ, କିମ୍ବା ମାଗାଜିନ୍ ପାଇଁ ହେଉ
ଯେ କୌଣସି ବାହାନାରେ ବି କବିତାଟେ ଲେଖା ଯାଇବାରେ !
ହେଲେକାହାନ୍ତି ସେ ଶବ୍ଦ ମାନେ?
ସେଇ ମାନଙ୍କୁ ତ ମୁଁ ଖୋଜି ବୁଲୁଛି
ସୂର୍ଯ୍ୟଦୋୟ ଠାରୁ ଚନ୍ଦ୍ରଦୋୟ ଯାଏ
ବିଶାଳ ଆକାଶ ଠାରୁ କ୍ଷୁଦ୍ର କୀଟ, ପତଙ୍ଗ ପର୍ଯ୍ୟନ୍ତ ।
ହେଇତ ମୋ ଚାରିପାଖ ପୃଥିବୀରେ ଗଦା ଗଦା ଶବ୍ଦର ପାହାଡ
ସବୁଠି ଶବ୍ଦ ମାନଙ୍କ ନୃତ୍ୟର ମୂର୍ଚ୍ଛନା
ବିଶାଳ ଆକାଶ ଦେହରେ
ଝରଣାର କୁଳୁକୁଳୁ ନାଦରେ
ପକ୍ଷୀର କାକଳିରେ l
ହେଲେ
ଗୋଟିଏ ବି ଶବ୍ଦର ବେଳ ନାହିଁ ମୋ କବିତା ପାଇଁ ।
ମନ୍ଦିର ସମ୍ମୁଖ ରେ ବସିଥିବା ବୁଢୀ ଭିକାରୁଣୀ ପରି
ନେହୁରା ହୋଇ ମାଗିଲି କେଇଟା ଶବ୍ଦ ଆକାଶକୁ
କିନ୍ତୁ !ଉର୍ଦ୍ଧ୍ଵ ମୂଖି, ନିଷ୍ଠୁର ଧନୀକଟେ ପରି
ସେ ଦୂର୍ ଦୂର୍ କରି କହିଲା
'ଧେତ୍ ମୋ ପାଖରେ କ’ଣ ମାଗଣା ଅଛି ?
ସବୁ ଗୁଡାକ ପରା ଜହ୍ନ, ତାରା ପାଲଟି ଗଲେଣି !
ତାପରେ, ମାଗିଲି ଶବ୍ଦଟିଏ
କୁଳୁକୁଳୁ ଗୀତ ଗାଇ ଗାଇ ଆଗକୁ ଧାଉଁଥିବା ଝରଣାକୁ
ସଦ୍ୟ ଯୌବନ ପ୍ରାପ୍ତ କିଶୋରୀଟେ ଭଳି
ସେବି ମନା କରିଦେଲା ଲାଜ ଲାଜ ହୋଇ
"ମୋ ଶବ୍ଦ ଗୁଡିକ ତ ପ୍ରେମ ପାଗଳୀ ସାଜି ଧାଉଛନ୍ତି
ସାଗରର ଗୁରୁ ଗମ୍ଭୀର ନାଦରେ ହଜି ଯିବା ପାଇଁ "l
ପବନକୁ ମାଗିଲି ତା ସୁଲୁସୁଲିଆ ଶବ୍ଦରୁ ପୁଞ୍ଜାଏ
ଅହଂକାରୀ ପବନଟା ଫୁଲେଇ ହୋଇ କହିଲା
"ମୁଁ ତ ଅଦୃଶ୍ୟ, ମୋତେ କଣ ବାନ୍ଧି ରଖି ପାରିବୁ
ତୋ ଦି'ଟୋପା କାଳି ଓ ପୃଷ୍ଠା ଏ କାଗଜ ଭତରେ?
ହେଲେ !
ହାର ମା
ନୁ ନ ଥିବା କବିଟିଏ ମୁଁ
ଝୁଣ୍ଟି, ଉଠି ପୁଣି ଧାଉଁଥିଲି ଶବ୍ଦର ସନ୍ଧାନରେ
ହେଲେ ସେମାନେ ଆହୁରି ଜୋର୍ ରେ ଦୌଡୁଥିଲେ
ମନ ପବନ ଘୋଡା ପରିl
ହାତ ବଢାଉଥିଲି ଧରିବାକୁ
ହେଲେ ! ସେମାନେ ଘୁଂଚିଘୁଂଚି ଯାଉଥିଲେ ଜହ୍ନ ପରି
ହାତ ମୋର ପହଞ୍ଚି ପାରୁ ନଥିଲା ଶବ୍ଦର ପାହାଡ ଶୀର୍ଷରେ ।
ସତରେ କେତେ ସ୍ବାର୍ଥପର
ଏ ନିଜର ନିଜର ଲାଗୁଥିବା ଶବ୍ଦ ଗୁଡାକ!
ମନଟା ମୋର ମରିଗଲା ନିରାଶାର ଘନ ଅନ୍ଧକାରେ।
ହଠାତ୍ ଶୁଭିଗଲା କାର ମଧୂଭିଜା କଣ୍ଠ
ମୁଁ ଅଛି
ସମସ୍ତେ ଦୁରେଇ ଗଲେ ବି ରେ ଧନ ମୋର
ମୁଁ ପରା ସଦା ସର୍ବଦା ତୋ ପାଖେ ପାଖେ ଅଛି ।
ଦୂରେଇ ଗଲା ହତାଶା
ଅପସରି ଗଲା କ୍ଳାନ୍ତି
ପୂର୍ଣ୍ଣିମା ଚନ୍ଦ୍ରର ଶୀତଳ ଜ୍ୟୋତ୍ସ୍ନା ପରି
ହ୍ରୁଦୟ ରେ ଖେଳିଗଲା ଅପୂର୍ବ ପ୍ରଶାନ୍ତି ।
ମନଃଚକ୍ଷୁରେ ଦିଶିଗଲା ମୋ ସ୍ବର୍ଗତା ମାଆର
ମମତାମୟୀ ଛବି ।
ଆବେଶରେ ଆଖି ମୋର ମୁଦି ହୋଇ ଗଲା
ସତେ ଯେପରି ମୁଁ ପୁଣି ଶିଶୁଟିଏ ହୋଇ
ମା’ ଛାତିରେ ନିଶ୍ଚିନ୍ତରେ ଶୋଇ ଯାଇଛି ।
କ୍ଷଣିକ ପାଇଁ ନିର୍ବାକ ହୋଇ ଯାଇଥିବା
କଣ୍ଠ ମୋର ଅସ୍ପଷ୍ଟ ସ୍ବରରେ କହିଉଠିଲା
ସେ ସ୍ବାର୍ଥ ପର ଶବ୍ଦ ଗୁଡିକ ପଛରେ ଦୌଡିବା
ଆଉ କଣ ଦରକାର ଯେ !
ମୋ ପାଖରେ ତ ଅଛି
ପୃଥିବୀର ନିସ୍ବାର୍ଥ ଓ ସର୍ବଶ୍ରେଷ୍ଠ ଶବ୍ଦ
ଯିଏ ଶବ୍ଦ ହେଲେ ବି ସବୁ ଶବ୍ଦ ମାନଙ୍କ ଉର୍ଦ୍ଧ୍ଵରେ
ଯା’ର ଆଶୀର୍ବାଦର ସୁଶୀତଳ ଛାୟାରେ
ମୁଁ ପରିପୁଷ୍ଟ ହୋଇଛି ।
ଯାର ସ୍ପର୍ଶରେ ଧୋଇଯାଏ ମନର ସମସ୍ତ ଆବିଳତା
ଯା’ର ସ୍ମରଣ ମାତ୍ରକେ ଖେଳିଯାଏ ମନରେ ସ୍ନିଗ୍ଧତା
ସେ ଯେ ସ୍ବର୍ଗ ଠାରୁ ଗରିୟସୀ
ମହାନ୍ ଠାରୁ ମହିୟସୀ
ସେ ଶବ୍ଦ କେବଳ ମା’ ହିଁ ହୋଇପାରେ
କେବଳ ମା’ କେବଳ ମା’ ।