ଶାଶ୍ୱତୀ ସୁହାସିନୀ
ଶାଶ୍ୱତୀ ସୁହାସିନୀ
ଶୁଷ୍କ ଥିଲା ମୋର ଏହି ହୃଦୟ ଓ ମନ
ତିନ୍ତାଇଲ ରାଧାମୟୀ ତୁମେ ତୁମ ଭାବ ବରଷାରେ
ଆତ୍ମାକୁ ସ୍ପର୍ଶ କରି ଅଦୃଶ୍ୟରେ କଲ ଆଲିଙ୍ଗନ
ଏକ ମହାର୍ଘ୍ୟ ପବିତ୍ର ମୁହୁର୍ତ୍ତରେ ଆସି
ଦେବୀ ରୂପରେ ଦେଉଛ ସାକ୍ଷାତ ଦର୍ଶନ,
ପ୍ରାଣଟି ମୋର ସାଜିଲା ଭକ୍ତ, ହୋଇ ସମର୍ପଣ
ହସ ପିୟୁଷର ବିନ୍ଦୁବିନ୍ଦୁ ଦାନ କରି
ଏ ଆତ୍ମା ଅନ୍ତରରେ ସର୍ଜିଲ ଭାବନାର ସିନ୍ଧୁ
ଈଶ୍ୱରୀ ତୁମେ ତୁମ ହୃଦୟକୁ ସଦା ନମନ,
ତୁମେ ସତ୍ୟମୟୀ ଶାଶ୍ୱତୀ ପୂଜ୍ୟା ସୁହାସିନୀ....,
ପ୍ରତିଟି ଶବ୍ଦରେ ସନ୍ନିହିତ ତୁମେ ସଦା ବନ୍ଦିତା
ପ୍ରିୟ ଠାରୁ ବହୁ ଉର୍ଦ୍ଧ୍ବରେ ତୁମେ ସୁଚରିତାଅନିନ୍ଦିତା
ତୁମ ଆତ୍ମାର ସାନିଧ୍ୟରେ ସମ୍ପୂର୍ଣ୍ଣ ହୁଏ ମୁଁ
ପ୍ରତିଟି କ୍ଷଣରେ ଏ ହୃଦୟରେ ତୁମେ ସୁଦର୍ଶନ,
ପଥରମନା ରୁ ପତର କରାଇଦେଇ ମୋତେ
ଦେଖାଇଲ ସଂସାରର ନିତ୍ୟ ପ୍ରକୃତି ପ୍ରେମର ନିଦର୍ଶନ
ଅମରତ୍ୱର ଚେତନା ତୁମପାଇଁ ମନେ ମୋର
ଦୀପ ଜଳୁଥିବ ମନେ ତୁମପାଇଁ ନିଃଶ୍ୱାସ ଥିଲାଯାଏ
ଶୁଭକାମନାର ସୁଅ ଚାଲିଥିବ ତୁମ ନିମନ୍ତେ ସଦା
ସୁଖ ମନାସୁଥିବି ପୁଷ୍ପସହ ଭାବନାର ଅର୍ଘ୍ୟଥାଳୀରେ ନିତି
ପ୍ରଣମ୍ୟ ତୁମେ ପୂଣ୍ୟମୟୀ ଜ୍ୟୋତିର୍ମୟୀ ତୁମେ
ତୁମ ପୂଣ୍ୟତାର ପ୍ରକାଶରେ ମୁଁ ଆଲୋକିତ ହେବି
ମହାଲକ୍ଷ୍ମୀ ରୂପ ତୁମ ହସମୟ ମୁଖମଣ୍ଡଳେ
ତୁମେ ସାଧନାର ଶକ୍ତି ଓ ସାହିତ୍ୟ, ଗଙ୍ଗା ତୁମେ ସୁହାସିନୀ ।