ଶାରଦୀୟ ଜହ୍ନ
ଶାରଦୀୟ ଜହ୍ନ
କ୍ଷତାକ୍ତ ଧରଣୀ ବିଶ୍ଵ ପାଟରାଣୀ
ପ୍ରକୃତି ସୁନ୍ଦର ରୂପ
ବଦଳି ଯାଉଛି ଭୌଗୋଳିକ ଚିତ୍ର
ହଜିଯାଇଛି ବୈଭବ ।
ପଡ଼ିଅଛି ଆଜି ଧରମ ସଂକଟ
ଅସ୍ଥିର ଦୋଳାୟ ମାନ
ହେଉଛି ସମାଜ ଅଶନି ଗରଜେ
ହଜିଯାଇଛି ସୁଦିନ ।
ଏବେଳେ ପାର୍ବଣ ମହା ପରବରେ
ସ୍ଵାଗତ ଗୀତିକା ଗାଇ
ସ୍ଵାଗତ କରୁଛି ନୀରନ୍ଧ୍ର ଅନ୍ଧାରେ
ଆସ ଆସ ମହାମାୟୀ ।
ଦୁଃଖ ଦୈନ୍ୟ ଯେତେ ଯାତନା ତାଡନା
ମହାମାରୀ କବଳରେ
ଭୋଗୁଛି ଏ ଜାତି ତଥାପି ତୋହର
ଅଭ୍ୟର୍ଥନା ପାର୍ବଣରେ ।
ଆସିବୁକି ସତେ ଦେବୀ ଯୋଗମାୟା
ଜାଳି ଆଲୋକ ମଶାଲ
ଆଲୋକିତ ରସା ହୋଇ ରସମୟ
ହୋଇବ ଚଳ ଚଞ୍ଚଳ ।
ତୋର ଆଗମନ ଶାରଦୟ ଜହ୍ନ
ନାଚିବ ଚନ୍ଦ୍ରିକା ତୋଳି
ହସିବ ଧରିତ୍ରୀ ହସିବେ ଜନତା
ଏତିକି ତୋ ପଦେ ଅଳି ।
ସବୁ ଦୁଃଖ ଦୈନ୍ୟ ଦୂରେଇ ଦେବୁ ମା
ଏତିକି ମିନତୀ କରେ
ଧୂପ,ଦୀପ,ନଇବେଦ୍ୟ ପୁଷ୍ପାଞ୍ଜଳି
ଅର୍ପେ ତୋ ପଦ ଯୁଗଳେ ।
