ଶାନ୍ତି ଟିକେ ଦିଅ ପ୍ରଭୁ
ଶାନ୍ତି ଟିକେ ଦିଅ ପ୍ରଭୁ
ଶରଣେ ତୁମ ଚରଣେ
ଭକତିର ଚିତ୍ତେ ମୁଁ ପ୍ରଣମେ
ବିନୟେ ତୁମ ଆଶ୍ରୟେ
ଦୁଃଖ ଯେତେ ଭୋଗେ ଏ ଜନମେ
ମାଗୁ ନାହିଁ କିଛି ଆଉ
କରୁଣାକର ହେ ମହାବାହୁ
ଶାନ୍ତି ଟିକେ ଦିଅ ପ୍ରଭୁ।
ସଂସାର ମିଛ ଅସାର
ବେଳୁ ବେଳ ଦୁଃଖ ପଡ଼େ ବଳି
ଜୀବନେ ଭାରି ଜଞ୍ଜାଳ
ଭାର ତାର ବହି ପାରୁନି ସମ୍ଭାଳି
ସହିବା ଶକତି ଥାଉ
ବଡ଼ଠାକୁର ତୁମେ ହେ ବିଭୁ
ଶାନ୍ତି ଟିକେ ଦିଅ ପ୍ରଭୁ।
ତୁଚ୍ଛ କାମନା ବାସନା
ମାୟା ମୋହ ମୋ'ଠୁ କର ଦୂର
ସତ୍ୟ ଧର୍ମ ନ୍ୟାୟ ପଥେ
ନିଅ ତୁମେ ହାତ ଧରି ମୋର
କରୁଣା ତୁମର ହେଉ
ଦୀନବନ୍ଧୁ ତୁମେ କୃପାସିନ୍ଧୁ
ଶାନ୍ତି ଟିକେ ଦିଅ ପ୍ରଭୁ।
ଅଥୟ ହୁଏ ଜୀବନ
ରହେ ନାହିଁ ଭରସା ବିଶ୍ଵାସ
ଚଳ ଚଞ୍ଚଳ ଏ ମନ
ଆଶା କରେ ତୁମର ଆଶିଷ
ତୁମ ଧ୍ୟାନେ ଦିନ ଯାଉ
ଆର୍ତ୍ତତ୍ରାଣ ତୁମେ ଜଗବନ୍ଧୁ
ଶାନ୍ତି ଟିକେ ଦିଅ ପ୍ରଭୁ।